ଫେଲ୍‌ ମାରିଛି କଂକ୍ରିଟ ଖଳା ଯୋଜନା

କେନ୍ଦ୍ରାପଡ଼ା ଅଫିସ,୧୮ା୧୧: କୃଷି ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡ଼ା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରରେ ଚାଷୀ ଉପକୃତ ହୋଇ ପାରୁନାହାନ୍ତି। ଆଳୁ, ସୂର୍ଯ୍ୟମୁଖୀ, ଚିନାବାଦାମ ବିହନ ଯୋଗାଣ ଅନିୟମିତତା ପରେ ଏବେ କଂକ୍ରିଟ ଖଳା ଯୋଜନା ନେଇ ଚାଷୀ ଅସନ୍ତୁଷ୍ଟ ଅଛନ୍ତି। ଜିଲାରେ ଇତିମଧ୍ୟରେ ୧୦୬ଟି ଖଳା ନିର୍ମାଣ ହୋଇଛି। ତେବେ ଏହି ଖଳା ଚାଷୀଙ୍କ ପରିବର୍ତ୍ତେ କେତେଜଣ ପ୍ରଭାବଶାଳୀଙ୍କ ଜବରଦଖଲକୁ ଚାଲିଯାଇଛି। ସେହିପରି ନିମ୍ନମାନର କାର୍ଯ୍ୟ ଯୋଗୁ ନିର୍ମାଣର ଅଳ୍ପ କେତେଦିନ ମଧ୍ୟରେ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି।
ଡେରାବିଶ ବ୍ଲକ ବାରିମୂଳର ଅନନ୍ତ ମଲ୍ଲିକ କୁହନ୍ତି, ଖରିଫ ଧାନ ଅମଳ ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଜିଲାରେ ଧାନ ଚାଷ ଅଧିକ। ଏହାକୁ ଅମଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗ୍ରାମରେ କଂକ୍ରିଟ ଖଳା ନିର୍ମାଣ ହୋଇଛି। ତେବେ ଏହି ଖଳା ଏବେ କେତେଜଣ ଲୋକଙ୍କ ଜବରଦଖଲକୁ ଚାଲିଯାଇଛି। ଖଳାରେ ଗାଈ, ମଇଁଷି ବାନ୍ଧିବା ସହ ଘଷିଭାଡି ରହିଛି। ଏପରି କି ଏହି ଖଳାରେ ବାଲି ଓ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ଦେଖିବାକୁ ମିଳିଛି। ଜିଲାରେ ସାଧାରଣତଃ ଧାନ ଅମଳ ସମୟରେ ସାମୁଦ୍ରିକ ଝଡ଼ ଦେଖାଯାଇଥାଏ। ଏହି ସମୟରେ ଅମଳ ସମସ୍ୟା ହୋଇଥାଏ। ତେବେ ଜବରଦଖଲରେ ଖଳା ଥିବାରୁ ଚାଷୀ କଂକ୍ରିଟ ଖଳାର ଉପଯୋଗ କରିପାରୁ ନାହାନ୍ତି। ମହାକାଳପଡ଼ାର ଚାଷୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, ଗୋଟିଏ କଂକ୍ରିଟ ଖଳାରେ ଅନୂ୍ୟନ ୭ରୁ ୯ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବ୍ୟୟ ହେଉଛି। ତେବେ ନିର୍ମାଣକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ନଜର ରହୁନାହିଁ। ଫଳରେ ଠିକାଦାର ଖଳା ନିର୍ମାଣ ପରେ ଦୁଇ ମାସ ମଧ୍ୟରେ ଏହା ନଷ୍ଟ ହୋଇଯାଉଛି। ସେହିପରି ଖଳା ନିର୍ମାଣ ସ୍ଥାନ ଚୟନରେ ବହୁ ତ୍ରୁଟି ଅଛି। ଖଳାକୁ କ୍ଷେତ ଅଞ୍ଚଳ ମଧ୍ୟରେ ରଖିଲେ ଏହାର ସୁଉପଯୋଗ ହୋଇପାରିବ। ତେବେ କେତେକ ଖଳା ଓ କ୍ଷେତର ଦୂରତା ପ୍ରାୟ ୩ରୁ ୫ କିଲୋମିଟର ରହୁଥିବାରୁ ଚାଷୀ ଏହାକୁ ଉପଯୋଗ କରି ପାରୁନାହାନ୍ତି। ଏହାସହ ଖଳାକୁ ଜବରଦଖଲକାରୀଙ୍କଠାରୁ ମୁକ୍ତ କରା ନ ଗଲେ ଯୋଜନା ଫେଲ୍‌ ମାରିଛି ବୋଲି କୁହାଯାଇପାରେ। ଏ ସମ୍ପର୍କରେ ଜିଲା କୃଷି ନିର୍ଦ୍ଦେଶକ ଶରତ ଚନ୍ଦ୍ର ଦାସଙ୍କୁ ପଚାରିବାରେ ଜିଲାରେ ମୋଟ ୧୦୬ଟି ଖଳା ମଧ୍ୟରୁ କୃଷି ବିଭାଗ ପକ୍ଷରୁ ୨୮ଟି ଖଳା ନିର୍ମାଣ ହୋଇଛି। ଅବଶିଷ୍ଟ ୭୮ ଖଳା ଆର୍‌ଏମ୍‌ସି ପକ୍ଷରୁ ନିର୍ମାଣ କରାଯାଇଛି। ପ୍ରାୟ ଅଢ଼େଇ ଗୁଣ୍ଠ ଜମି ଉପରେ ଖଳା ନିର୍ମାଣ ପାଇଁ ୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଗ୍ରାମର ଚାଷୀ ଏହାକୁ ଉପଯୋଗ କରିବା କଥା। ଗ୍ରାମବାସୀଙ୍କ ବିରୋଧ ହେଲେ ଜବରଦଖଲ ହଟିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଆର୍‌ଏମ୍‌ସି ସମ୍ପାଦକ ଅମର କୁମାର ନାୟକ କହିଛନ୍ତି, ଜବରଦଖଲ ସମ୍ପର୍କରେ ଅଦ୍ୟାବଧି କୌଣସି ଅଭିଯୋଗ ଆସିନାହିଁ। ଏପରି ଘଟଣା ନଜରକୁ ଆସିଲେ ପ୍ରଶାସନିକ ତଦନ୍ତ ସହ ପୋଲିସ ସହଯୋଗରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବ।