ପଶ୍ଚିମରୁ ଉପକୂଳ ବର୍ଷିଲା

ଭୁବନେଶ୍ୱର, ୧୨।୧(ବ୍ୟୁରୋ):
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ମଙ୍ଗଳବାର ବିଶେଷ କରି ବଲାଙ୍ଗୀର, ସୋନପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଜଣାପଡ଼ିଛି। ସେହିପରି କଟକ ଓ ଭୁବନେଶ୍ୱରରେ ମଧ୍ୟ ସନ୍ଧ୍ୟାରୁ ବର୍ଷା ହୋଇଛି। ଝାରସୁଗୁଡ଼ାରେ ସର୍ବାଧିକ ୪୫.୬ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ବଲାଙ୍ଗୀର ୨୩, ସମ୍ବଲପୁର ୧୯.୭, ହୀରାକୁଦ ୧୭.୨, ସୋନପୁର ୧୭, ଅନୁଗୋଳରେ ୧୧ ମିମି ବର୍ଷା ହୋଇଥିଲା। ତେବେ କଳାହାଣ୍ଡି, ଅନୁଗୋଳ, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ସୋନପୁର, ରାୟଗଡ଼ା, ଗଜପତି, ଦେଓଗଡ଼ ଓ ସମ୍ବଲପୁରରେ କୁଆପଥର ବର୍ଷା ସହ ବଜ୍ରପାତ ହୋଇଥିଲା। ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ବର୍ଷା ସହିତ ବଜ୍ରପାତ ହେବ ଓ କୁଆପଥର ପଡ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ବର୍ତ୍ତମାନ ରାଜ୍ୟରେ ତାପମାତ୍ରା ବଢ଼ି ଯାଇଥିବାରୁ ଥଣ୍ଡା କମ୍‌ ହେଉଛି। ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତିର ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।