ଝାରସୁଗୁଡ଼ାରେ ହେବ କୋଲ୍‌ ଟ୍ରିବ୍ୟୁନାଲ

ଭୁବନେଶ୍ୱର/ଝାରସୁଗୁଡା (ଡି.ଏନ୍‌.ଏ.):୪।୨: ଝାରସୁଗୁଡାରେ ଏକ କୋଲ୍‌ ବିୟରିଂ ଟ୍ରିବ୍ୟୁନାଲ (ସିବିଟି) ସ୍ଥାପନ ନେଇ କେନ୍ଦ୍ର ସରକାର ବୁଧବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। କୋଇଲା ଖଣି ମାମଲାଗୁଡିକର ସମାଧାନ ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡିଛି। ବିଶେଷ କରି କୋଇଲା ଖଣି କ୍ଷତିପୂରଣ ଏବଂ ପୁନର୍ବାସ ମାମଲା ଏହା ମଧ୍ୟରେ ସାମିଲ ରହିଛି। ଏଭଳି ନିଷ୍ପତ୍ତି ଦ୍ୱାରା ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲାରେ କୋଇଲା ଖଣି ଅଞ୍ଚଳର ଜମି ମାମଲାଗୁଡିକରେ ଲୋକଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି। କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ(ଏମ୍‌ସିଏଲ୍‌)କୁ ଏ ନେଇ ଏକ ସର୍କୁଲାର ଜାରି କରିଛି। ଏହି ଟ୍ରିବ୍ୟୁନାଲ ୨୦୨୨ ସେପ୍ଟେମ୍ବର ୩୦ ଯାଏ ଅସ୍ଥାୟୀ ଭାବେ କାର୍ଯ୍ୟ କରିବ ବୋଲି ସର୍କୁଲାରରେ ପ୍ରକାଶ ପାଇଛି। ତୁରନ୍ତ ଏହି ଟ୍ରିବ୍ୟୁନାଲ ସ୍ଥାପନ ନେଇ ପଦକ୍ଷେପ ଗ୍ରହଣ କରାଯିବ। ଝାରସୁଗୁଡା ଜିଲାରେ ଏକ କୋଲ୍‌ ବିୟରିଂ ଟ୍ରିବ୍ୟୁନାଲ୍‌ ଖୋଲିବା ପାଇଁ ବରଗଡ ଏମ୍‌ପି ସୁରେଶ ପୂଜାରୀ ଗତ ସେପ୍ଟେମ୍ବର ୨୦ତାରିଖରେ ପାର୍ଲାମେଣ୍ଟରେ ଉପସ୍ଥାପନା କରି କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ବିଚାରକୁ ନେଇ ଝାରସୁଗୁଡାରେ ଅସ୍ଥାୟୀ କୋଲ୍‌ ବିୟରିଂ ଟ୍ରିବ୍ୟୁନାଲ୍‌ ଖୋଲିବା ପାଇଁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଏମ୍‌ସିଏଲ୍‌କୁ ନିର୍ଦ୍ଦେଶ ଦେଇଛି। ଝାରସୁଗୁଡାର ଜିଲା ଏବଂ ସେସନ ଜଜ୍‌ ଟ୍ରିବ୍ୟୁନାଲର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ସେହିଭଳି ଟ୍ରିବ୍ୟୁନାଲ ଲାଗି ଜଣେ ପ୍ରିଜାଇଡିଂ ଅଫିସର ମଧ୍ୟ ନିଯୁକ୍ତ ହେବେ। ଏମ୍‌ସିଏଲ୍‌ ପକ୍ଷରୁ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଏମ୍‌ସିଏଲ୍‌ର ଇବ୍‌ ଭ୍ୟାଲି, ଓରିଏଣ୍ଟ ଏରିଆ, ଲଖନପୁର ବସୁନ୍ଧରା ଏବଂ ଗର୍ଜନବାହାଲ ଭଳି ଅଞ୍ଚଳର ଲୋକଙ୍କୁ କ୍ଷତିପୂରଣ ମାମଲାର ଶୁଣାଣି ଲାଗି ଢେଙ୍କାନାଳ ଆସିବାକୁ ପଡୁଛି। ପୂର୍ବରୁ ତାଳଚେର ଏବଂ ଢେଙ୍କାନାଳରେ ଏଭଳି ଟ୍ରିବ୍ୟୁନାଲ ରହିଥିବା ବେଳେ ଏହା ତୃତୀୟ ଟ୍ରିବ୍ୟୁନାଲ ହେବ।