ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ ମଙ୍ଗଳବାର ମହିଳା ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଉତ୍ତରପ୍ରଦେଶ ଜୌନପୁର ଅଞ୍ଚଳର ଅମନ ଉପାଧ୍ୟାୟ।
ପୋଲିସ ସୂଚନା ଅନୁଯାୟୀ, ଅମନ ଭୁବନେଶ୍ବରରେ ପ୍ରାୟ ୧ ବର୍ଷ ପୂର୍ବେ ଏକ ଧାରାବାହିକରେ ସହ-ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ଅଭିଯୋଗକାରିଣୀ ଅଭିନେତ୍ରୀ ଉକ୍ତ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ପରିଚୟ ହେବାପରେ ଅମନ ଅଭିନେତ୍ରୀଙ୍କୁ ଏକତରଫା ଭଲପାଇବା ସହିତ ତାଙ୍କ ଅନିଚ୍ଛା ସତ୍ତ୍ବେ ବାରମ୍ବାର ପ୍ରେମ ନିବେଦନ କରିଥିଲେ। ଏଥିରେ ଅରାଜି ହେବାରୁ ଅମନ ସମ୍ପୃକ୍ତ ଅଭିନେତ୍ରୀଙ୍କ ଫଟୋ ସହ ନିଜ ଫଟୋକୁ ଏଆଇ ମାଧ୍ୟମରେ ଏଡିଟ୍ କରି ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏଥିସହ ସେ ଅଭିନେତ୍ରୀଙ୍କ କେତେଜଣ ସାଙ୍ଗଙ୍କୁ ମଧ୍ୟ ଏହି ଫଟୋଗୁଡିକୁ ପଠାଇଥିଲେ। ଏନେଇ ଅଭିନେତ୍ରୀ ଜଣକ ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୨୯୧/୨୬) ରୁଜୁ କରି ତଦନ୍ତ କରିବା ସହ ଅମନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।