ଆଜି ଇମାମି-କିସ୍‌ ଆବାସିକ ବିଦ୍ୟାଳୟ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ବାଲେଶ୍ୱର ଜିଲା ରେମୁଣା ବ୍ଲକ୍‌ ଅନ୍ତର୍ଗତ ଆରମଳାଠାରେ ନିର୍ମିତ କିସ୍‌ର ନୂତନ ଶାଖା ଇମାମି-କିସ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ ତାରିଖ ସୋମବାର ଉଦ୍‌ଘାଟନ କରିବେ। ୧ଲକ୍ଷ ୨୦ହଜାର ବର୍ଗଫୁଟ ଅଞ୍ଚଳରେ ଗଢ଼ି ଉଠିଥିବା ଏହି ବିଦ୍ୟାଳୟ ପାଇଁ ଜମି କ୍ରୟଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ସବୁଜ ବଳୟ ସୃଷ୍ଟି, ପାଚେରି ନିର୍ମାଣ, ମେକାନାଇଜ୍‌ଡ୍‌ ରୋଷଶାଳା, ୨୫ ଶଯ୍ୟାବିଶିଷ୍ଟ ଡାକ୍ତରଖାନା, ଆସବାବପତ୍ର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ନିମନ୍ତେ ମୋଟ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରୁ ଇମାମି ଗ୍ରୁପ୍‌ ୧୪ କୋଟି ଟଙ୍କା ଆର୍ଥତ୍କ ସହାୟତା ଯୋଗାଇ ଦେଇଥିବାବେଳେ ବାକି ୩୬ କୋଟି ଟଙ୍କା କିଟ୍‌ ତରଫରୁ ଖର୍ଚ୍ଚ କରାଯାଇଛି।
ଇମାମି-କିସ୍‌ ଆବାସିକ ବିଦ୍ୟାଳୟରେ ସିବିଏସ୍‌ଇ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଓଡ଼ିଶାର ବିଭିନ୍ନ ଜିଲାର ୧୨ଶହ ଗରିବ ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ। ପାଠପଢ଼ା ବ୍ୟତୀତ ଏଠାରେ ଛାତ୍ରୀଛାତ୍ରଙ୍କୁ ଅନ୍ୟାନ୍ୟ କ୍ଷେତ୍ର ବିଶେଷକରି ଉନ୍ନତମାନର କ୍ରୀଡ଼ା ତାଲିମ ପ୍ରଦାନ କରାଯିବ। ଏଠାରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରସ୍ଥିତ କିସ୍‌ କିମ୍ବା କିଟ୍‌ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିପାରିବେ। ଭୁବନେଶ୍ୱର କିସ୍‌ ଭଳି ଏଠାରେ ସମ୍ପୂର୍ଣ୍ଣ ଆବାସିକ ଓ ବିନା ଦେୟରେ ଗରିବ ପିଲାମାନେ ପାଠ ପଢ଼ିବେ। ସମ୍ପୂର୍ଣ୍ଣ ସବୁଜ, ଇକୋ-ଫ୍ରେଣ୍ଡଲି ଓ ଟେକ୍ନୋଲୋଜି ଉପଯୋଗରେ ଏହି କ୍ୟାମ୍ପସ ପରିଚାଳିତ ହେବ।
ସୂଚନାଯୋଗ୍ୟ, ବିଶ୍ୱର ଏକମାତ୍ର ବୃହତ୍ତମ ଆବାସିକ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ହେଉଛି କିସ୍‌। ବିଭିନ୍ନ ଜିଲାରେ ଗରିବ ପିଲାଙ୍କୁ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ କିସ୍‌ ଆହୁରି ଶାଖା ଖୋଲିବାର ଯୋଜନା ରହିଛି। ଏହା ପୂର୍ବରୁ ଓଡ଼ିଶାର ବଲାଙ୍ଗୀର ଓ ମୟୂରଭଞ୍ଜରେ କିସ୍‌ର ଶାଖା ଖୋଲାଯାଇଛି।