ଆସନ୍ତାକାଲି ଭଦ୍ରକ ସହର ବନ୍ଦ

ଭଦ୍ରକ ଅଫିସ,୯।୧୨-ଭଦ୍ରକ ଜିଲାବାସୀଙ୍କ ବାରମ୍ବାର ଦାବି ସତ୍ତ୍ବେ ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଜିଲାବାସୀଙ୍କର ଏହି ଦାବିକୁ ବହୁଦିନ ଧରି ଅଣଦେଖା କରାଯାଉଛି। ଏଣୁ ଜିଲା କଂଗ୍ରେସ ପକ୍ଷରୁ ଗୁରୁବାର ଭଦ୍ରକ ସହରକୁ ୧୨ ଘଣ୍ଟିଆ ବନ୍ଦ ନିଷ୍ପତ୍ତି ନିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହର ବନ୍ଦ ରହିବ। ଏ ସମ୍ପର୍କରେ ପୂର୍ବରୁ ମାଇକ୍‌ରେ ପ୍ରଚାର କରାଯିବା ସହ ଖବରଦାତା ସମ୍ମିଳନୀ ମାଧ୍ୟମରେ ସହରବାସୀଙ୍କୁ ସହଯୋଗ କରିବା ପାଇଁ କୁହାଯାଇଛି। ଗୁରୁବାର ଭଦ୍ରକ ସହରର ସମସ୍ତ ଦୋକାନ ବଜାର ଓ ସରକାରୀ ଦପ୍ତର ବନ୍ଦ ରହିବ ବୋଲି ଜିଲା କଂଗ୍ରେସ କମିଟି ସଭାପତି ସୁବ୍ରତ କୁମାର ଦାସ ସୂଚନା ଦେଇଛନ୍ତି। ଜିଲାର ସ୍ବାସ୍ଥ୍ୟ ବିଭାଗ ଏବେ ପୂରା ଅସୁସ୍ଥ। ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ଠପ୍‌। କରୋନା ଆଳରେ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେବା ଓ ସାଧାରଣ ରୋଗୀଙ୍କୁ ବି କଟକ ସ୍ଥାନାନ୍ତର କରିବା ନିତିଦିନିଆ ଘଟଣା ପାଲଟି ଯାଇଛି। ଏଭଳି ବିଭିନ୍ନ ସମସ୍ୟାକୁ ନେଇ ଜିଲା କଂଗ୍ରେସ ଆନ୍ଦୋଳନ କରିବ ବୋଲି କୁହାଯାଇଛି।