ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ ଆଜି

ଫୁଲବାଣୀ ଅଫିସ/ଖଜୁରୀପଡ଼ା,୨୨।୧୧: କନ୍ଧମାଳ ଜିଲା ଗସ୍ତରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସୁଛନ୍ତି। ପୂର୍ବାହ୍ନ ୧୧ଟାରେ ଫୁଲବାଣୀ ଷ୍ଟାଡିୟମରେ ପହଞ୍ଚି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ। ଏଥିସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ତଥା ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା ରବିବାର ଫୁଲବାଣୀସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତିି। ମନ୍ତ୍ରୀ ଆହୁରି କହିଛନ୍ତି, ଏହି ସ୍ବାସ୍ଥ୍ୟ ଯୋଜନାରେ ଗରିବ ଲୋକେ ବିଶେଷ ଭାବେ ଉପକୃତ ହେବେ। ରାଜ୍ୟରେ କେହି ବି ସ୍ବାସ୍ଥ୍ୟ ଜନିତ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଜିଲାର ପ୍ରାୟ ୧ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ। ସେହିପରି ହିତାଧିକାରୀଙ୍କୁ କିଭଳି ସୁଚାରୁରୂପେ କାର୍ଡ ବଣ୍ଟନ କରାଯିବ ସେଥିଲାଗି ରାଜ୍ୟର ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଦାରିଙ୍ଗିବାଡି ବ୍ଲକରେ ମନ୍ତ୍ରୀ ଅଶୋକ ପଣ୍ଡା, ରାଇକିଆ ଏବଂ ଜି.ଉଦୟଗିରିରେ ମନ୍ତ୍ରୀ ରଘୁନନ୍ଦନ ଦାସ, ଟିକାବାଲିରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଫୁଲବାଣୀରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଚକାପାଦ ଏବଂ ଫିରିଙ୍ଗିଆରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡାରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କୋଟଗଡରେ ମନ୍ତ୍ରୀ ପଦ୍ମିନୀ ଦିଆନ, କ.ନୂଆଗଁା ଏବଂ ତୁମୁଡିବନ୍ଧ ବ୍ଲକରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଖଜୁରିପଡା ବ୍ଲକରେ ମନ୍ତ୍ରୀ ପଦ୍ମନାଭ ବେହେରା, ଜି.ଉଦୟଗିରି ଏନ୍‌ଏସିରେ ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ଏନ୍‌ଏସିରେ ଖେଳ ଏବଂ ଯୁବ ବ୍ୟାପାର ଉପଦେଷ୍ଟା ବିଜୟ ନାୟକ, ଫୁଲବାଣୀ ପୌର ପରିଷଦରେ ବିଧାୟକ ଅଙ୍ଗଦ କହଁର ଉପସ୍ଥିତ ରହି ହିତାଧିକାରୀଙ୍କୁ ଏହି ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବେ।

Share