ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୨୯/୪(ବ୍ୟୁରୋ): ଶୁକ୍ରବାରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦିନିକିଆ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ୨୦୧୬ ଏପ୍ରିଲ ୨ ତାରିଖରେ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ ହୋଇଥିଲା। ମିଳିଥିବା ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଶୁକ୍ରବାର ଅପରାହ୍ନ ସାଢ଼େ ୧ଟାରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ। ଏପ୍ରିଲ ୩୦ ତାରିଖ ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମିଳିତ ସମ୍ମିଳନୀରେ ସେ ଯୋଗଦେବେ।
ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଯୋଗଦେବା କାର୍ଯ୍ୟକ୍ରମ ରହିଛି। ମେ’ ୧ରେ ନବୀନଙ୍କ କୌଣସି ସରକାରୀ କାର୍ଯ୍ୟକ୍ରମ ରହି ନ ଥିବାବେଳେ ୨ ତାରିଖରେ ଭାରତ ସରକାରଙ୍କ ଅନୁମତି ଅପେକ୍ଷାରେ ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ୩ ତାରିଖ ଅପରାହ୍ନ ସାଢ଼େ ୧ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।