ଶ୍ରୀ ଶଙ୍କର କର୍କଟ ହସ୍ପିଟାଲର ଆଜି ଶୁଭ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୭(ବ୍ୟୁରୋ): ଭୁବନେଶ୍ୱରରେ ଶ୍ରୀ ଶଙ୍କର କ୍ୟାନ୍‌ସର ହସ୍ପିଟାଲ ନିର୍ମାଣ ହେବ। ଏହି ହସ୍ପିଟାଲ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ରାଜ୍ୟ ସରକାର ଇନ୍‌ଫୋସିଟି-୨ ନିକଟରେ ୨୦ ଏକର ଜମି ଦେଇଛନ୍ତି। ଉକ୍ତ ସ୍ଥାନରେ ହିଁ ସରକାର ହସ୍ପିଟାଲର ଭିତ୍ତିପ୍ରସ୍ତର ପକାଇବେ। ସୋମବାର ପୂର୍ବାହ୍ନ ୧୦ଟା ୩୦ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଏହାର ଶୁଭଦେବେ ବୋଲି ଜଣାପଡିଛି।
ବାଗ୍‌ଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ନେଇ ଗତ ଏପ୍ରିଲ ୧୨ରେ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଥିଲା। ଏହାସହ ଭୁବନେଶ୍ୱରରେ ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ କେୟାର ସେଣ୍ଟର ପ୍ରତିଷ୍ଠାକୁ ମଧ୍ୟ ସରକାର ସମ୍ମତି ଦେଇଥିଲେ। ସୁବ୍ରତୋ ବାଗ୍‌ଚୀ ଏବଂ ସୁସ୍ମିତା ବାଗ୍‌ଚୀ ଉଭୟ ଅନୁଷ୍ଠାନ ଲାଗି ୩୪୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି।