ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ଗୁରୁବାର ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରର ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୧ ଘଣ୍ଟା ଧରି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏପରିକି ବାତ୍ୟା କ୍ଷୟକ୍ଷତି ଆକଳନ ପରେ ମୁଖ୍ୟମନ୍ତ୍ରୀ କିଛି ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ବାତ୍ୟା ‘ୟାସ୍‌’ ଯୋଗୁ ଭଦ୍ରକ ଏବଂ ବାଲେଶ୍ୱର ଏବଂ କେନ୍ଦ୍ରାପଡ଼ାର ପ୍ରଭାବିତ ୧୨୮ଟି ଗାଁର ସମସ୍ତ ପରିବାରକୁ ୭ ଦିନ୍‌ ରିଲିଫ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ବୁଧବାର ଘୋଷଣା କରିଥିଲେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ରାସ୍ତା ମରାମତି କରାଯିବ ଏବଂ ପ୍ରଭାବିତ ଜିଲାରେ ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣ କରାଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।