ଋଣ ଯୋଗାଣ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୨: ଅଗ୍ରାଧିକାର କ୍ଷେତ୍ରକୁ ଋଣ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମୀକ୍ଷା କରିଛନ୍ତି। ଏ କ୍ଷେତ୍ରରେ ଉତ୍ତମ ସମନ୍ବୟ ଲାଗି ସେ ବ୍ୟାଙ୍କ ଏବଂ ଜିଲା ସ୍ତରୀୟ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଭର୍ଚୁଆଲ ପ୍ଲାଟଫର୍ମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କିଙ୍ଗ କ୍ଷେତ୍ର, ଜିଲାପାଳ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀ ଯୋଗଦେଇଥିଲେ। ଗତ ୨ ମାସରେ ଅଗ୍ରାଧିକାର କ୍ଷେତ୍ରକୁ ଋଣ ପ୍ରଦାନରେ ବିଶେଷ ଅଗ୍ରଗତି ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏମ୍‌ଏସ୍‌ଏମ୍‌ଇ, କୃଷି କ୍ଷେତ୍ର ଏବଂ ମିଶନ ଶକ୍ତିକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ବଜେଟରେ ଏହି କ୍ଷେତ୍ରଗୁଡିକୁ ବ୍ୟୟ ବରାଦ ବଢାଯାଇଛି। ବିଭିନ୍ନ ଯୋଜନାରେ ଲୋକମାନେ ନେଉଥିବା ଋଣର ସୁଧ ବୋଝକୁ ହାଲକା କରିବା ଲାଗି ସୁଧ ରିହାତି ଯୋଜନା ହାତକୁ ନିଆଯାଇଛି।
ମିଶନ ଶକ୍ତିକୁ ଧାର୍ଯ୍ୟ ଲକ୍ଷ୍ୟଠାରୁ ୫୦୦ କୋଟି ଅଧିକ ଋଣ ଯୋଗାଣ କରାଯାଇଛି। ସ୍ବଂୟସହାୟକ ଗୋଷ୍ଠୀଙ୍କୁ ୩,୨୪୦ କୋଟି ଟଙ୍କା ଯୋଗାଣ ନେଇ ଯୋଜନା ରଖାଯାଇଥିବା ବେଳେ ଏସଏଚ୍‌ଜି ୩୭୪୫ କୋଟି ଟଙ୍କା ପାଇପାରିଛନ୍ତି। ଏସ୍‌ଏଚ୍‌ଜି ପ୍ରଦାନ କରାଯାଉଥିବା ହାରାହାରି ଋଣ ପରିମାଣକୁ ବଢାଇବା ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମିଶନ ଶକ୍ତିରେ ଭଲ ପରଫରମାନ୍ସ ଲାଗି ସେ ଗଞ୍ଜାମ, ବାଲେଶ୍ୱର, ନୂଆପଡା, କନ୍ଧମାଳ ଏବଂ ଅନୁଗୋଳ ଭଳି ଜିଲାକୁ ଶୁଭେଚ୍ଛା ଜଣାଇଛନ୍ତି। କୃଷି ଏବଂ ଏମ୍‌ଏସ୍‌ଏମ୍‌ଇ ଅର୍ଥ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ହୋଇଥିବାରୁ ସେମାନଙ୍କୁ ଋଣ ଯୋଗାଣରେ ଯେଭଳି କୌଣସି ଅସୁବିଧା ନ ହୁଏ ତାକୁ ବିଚାର କରିବାକୁ କହିଛନ୍ତି। ବ୍ୟାଙ୍କଗୁଡିକ ସେମାନଙ୍କ ଧାର୍ଯ୍ୟ ଋଣ ଯୋଗାଣ ଲକ୍ଷ୍ୟ ହାସଲ କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ବ୍ୟାଙ୍କଗୁଡିକ ଏହି ଲକ୍ଷ୍ୟ ହାସଲ ଦିଗରେ ସକ୍ଷମ ହେବେ ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଶାବାଦୀ ରହିଛନ୍ତି। ଏହ ଅବସରରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।