ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲାବାସୀଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଡ ବଣ୍ଟନରେ ସୁନ୍ଦରଗଡ ଦ୍ବିତୀୟ ଜିଲା ପାଲଟିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭ ଜଣ ହିତାଧିକାରୀଙ୍କୁ ହେଲ୍ଥ କାର୍ଡ ବଣ୍ଟନ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡରେ ୫୮୦.୮୨ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରଛନ୍ତି।

ପ୍ରକାଶ ଯେ, ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ସ୍ମାର୍ଟ ହେଲ୍ଥ କାର୍ଡ ସଂପର୍କରେ ଘୋଷଣା କରିଥିଲେ। ଏହାପରେ ଅଗଷ୍ଟ ୨୦ ତାରିଖରେ ସେ ମାଲକାନଗିରିରେ ପ୍ରଥମ କରି କାର୍ଡ ବଣ୍ଟନ କରିଥିଲେ।୍‌ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଯୋଗ ଦେଇ ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ସଦସ୍ୟ, ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ।