ପୂଜାମଣ୍ଡପ ବୁଲିବେନି ମୁଖ୍ୟମନ୍ତ୍ରୀ: ପଛରେ ରହିଛି ଏମିତି କାରଣ

ଭୁବନେଶ୍ୱର,୧୯।୧୦: ଚଳିତ ବର୍ଷ ଦୁର୍ଗାପୂଜା ଓ ଦଶହରାକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଲଗାଣ ବର୍ଷା ଓ ବନ୍ୟା ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ବିଶେଷକରି ଚାଷୀ ଭାଇଭଉଣୀମାନେ ବର୍ଷା ଓ ବନ୍ୟା ଯୋଗୁ ବ୍ୟାପକ କ୍ଷତି ସହିଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ପରିସ୍ଥିତିକୁ ବିଚାରକୁ ନେଇ ଚଳିତ ବର୍ଷ ଦଶହରା ଅବସରରେ ସେ ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରିବେ ନାହିଁ ଏବଂ ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ମଣ୍ଡପ ବୁଲିବା କାର୍ଯ୍ୟକ୍ରମରୁ ଦୂରେଇ ରହିବେ।

ଏହାସହ ପବିତ୍ର ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ମା’ ଦୁର୍ଗାଙ୍କ ଆଗମନ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି ସେ କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମାତୃଶକ୍ତିର ଆରାଧନା ଆମ ସଂସ୍କୃତି ଓ ସଭ୍ୟତା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମା’ ଦୁର୍ଗା ମାତୃଶକ୍ତିର ପ୍ରତୀକ ଭାବେ ପୂଜିତା। ତାଙ୍କର ଆଶୀର୍ବାଦରେ ସମାଜରେ ଶାନ୍ତି, ସଦ୍ଭାବ ଓ ମଙ୍ଗଳ ପ୍ରତିଷ୍ଠା ହେଉ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଆଶା ଓ ଉତ୍ସାହ ଭରିଦେବା ସହ ପ୍ରତ୍ୟେକ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ମୁଖ୍ୟମନ୍ତ୍ରୀ ମା’ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

 

Dharitri – Odisha’s No.1 Odia Daily

 

Share