ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବାରାଣସୀ ଯାଇଥିବା ତୀର୍ଥଯାତ୍ରୀ ବସ୍‌ ଫେରିବା ବାଟରେ ଝାଡ଼ଖଣ୍ଡର ହଜାରିବାଗଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଉକ୍ତ ବସ୍‌ରେ ୫୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସମସ୍ତ ତୀର୍ଥଯାତ୍ରୀ ଅନୁଗୋଳ, ଢେଙ୍କାନାଳ ଏବଂ ମୟୂରଭଞ୍ଜର ଅଟନ୍ତି। ମୃତକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିବା ସହିତ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଯାତ୍ରୀ ଯେପରି ଶୀଘ୍ର ନିଜ ନିଜ ଘରକୁ ଫେରିବେ ସେଥିପାଇଁ ଝାଡ଼ଖଣ୍ଡ ସରକାରଙ୍କ ସହ ସମନ୍ବୟ ରଖି ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।