ସାର୍ବଜନୀନ ହେଲା ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀଙ୍କ କମିଛି; ୪ ମନ୍ତ୍ରୀଙ୍କ ୪ ଚକିଆ ଯାନ ନାହିଁ

ଭୁବନେଶ୍ୱର,୨୩ା୯(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜର ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତି। ୨୦୨୧ ଡିସେମ୍ବର ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୬୪.୯୭ କୋଟି ଟଙ୍କା । ଗତ ବର୍ଷ ତୁଳନାରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୩୦ ହଜାର ୫୪୩ ଟଙ୍କା କମିଛି।

ସେହିପରି ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୬.୪୯ କୋଟି ଟଙ୍କା ଦର୍ଶାଇଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ତାଙ୍କ ସ୍ତ୍ରୀଙ୍କ ନାମରେ ୭୫ଟି ଗାଡ଼ି ଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ କରିଛନ୍ତି। ସେସବୁ ଗାଡ଼ି ବ୍ୟବସାୟରେ ନିୟୋଜିତ ହୋଇଛି। ସେଥିରୁ ୨୦୨୧ରେ ୧୮ଟି ଗାଡ଼ି କିଣାଯାଇଛି ବୋଲି ସେ ଦର୍ଶାଇଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ମନ୍ତ୍ରୀ ରୀତା ସାହୁ, ପ୍ରଫୁଲ୍ଲ ମଲ୍ଲିକ, ଅଶ୍ୱିନୀ ପାତ୍ର ସେମାନଙ୍କ ନାମରେ କୌଣସି ୪ ଚକିଆ ଯାନ ନ ଥିବା ସମ୍ପତ୍ତି ତାଲିକାରେ ଦର୍ଶାଇଛନ୍ତି। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ତାଙ୍କ ନାମରେ କୌଣସି ଘର ନାହିଁ ଏବଂ ତାଙ୍କର ୨ ହଜାର ଟଙ୍କା ମୂଲ୍ୟର ଏକ ଦୁଇଚକିଆ ଯାନ ରହିଥିବା ଉଲ୍ଲେଖ କରିଛନ୍ତି।