ବାୟୁମଣ୍ଡଳରେ ଯାହା ସବୁଦିନ ଅବସ୍ଥାଠାରୁ ଅଲଗା ଅବସ୍ଥାକୁ ଆମେ ଅନୁଭବ କରୁ, ଉପଭୋଗ କରୁ ଏବଂ ବିଶେଷକରି ଆଖିରେ ଦେଖୁ ତାହାକୁ ଜଳବାୟୁରେ କିଛି ପରିବର୍ତ୍ତନ ହେଲା ବୋଲି ଜାଣୁ। ଏହି ଜଳବାୟୁ ପରିବର୍ତ୍ତନ ଏବେ ମାନବ ସଭ୍ୟତା ପାଇଁ ଜନ୍ମ ନେଉଛି ଏବଂ ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ନିଶ୍ଚୟ। ପୃଥିବୀରେ ମଣିଷ ସହ ଏକାଧିକ ଜୀବଜନ୍ତୁ, ବୃକ୍ଷଲତା ଆଦି ପ୍ରତିପାଳିତ ହେଉଛନ୍ତି, କିନ୍ତୁ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନଭିତ୍ତିକ ପରିସ୍ଥିତିରେ ସମସ୍ତେ ନିଷ୍ପେଷିତ। ଦିନକୁ ଦିନ ଜୈବ ବିବିଧତା ଅବକ୍ଷୟମୁଖୀ। ଜଳବାୟୁ ପରିବର୍ତ୍ତନ ଯୋଗୁ ବନ୍ୟା, ବାତ୍ୟା, ମରୁଡ଼ି, ଭୂମିକମ୍ପ, ଭୂସ୍ଖଳନ, ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଭଳି ଅନେକ ବିପତ୍ତି ସୃଷ୍ଟିହେବା ସହ ବିପର୍ଯ୍ୟୟମାନ ଦେଖାଦେଇଛି। ଚଳିତ ବର୍ଷ ଏଲ୍ ନିନୋ ପ୍ରଭାବ ନିମନ୍ତେ ଲଗାତର ତିନୋଟି ବାତ୍ୟା ଯଥା ଅର୍ଣ୍ଣବ, ମୁରାସୁ ଏବଂ ଅଓ୍ବାନ୍ ଭଳି ବାତ୍ୟା ଜନ୍ମନେଇଛି।
ସାଧାରଣତଃ ବିଶ୍ୱରେ ପାଣିପାଗର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେବା ଯୋଗୁ ବିଗତ ୩୦ ବର୍ଷ ମଧ୍ୟରେ ୯ ଲକ୍ଷ ୧୬ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଫଳରେ ୫୫୦ କୋଟିରୁ ଊଦ୍ଧର୍ବ ଲୋକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି କମ୍ ଆୟ ଥିବା ଦେଶଗୁଡ଼ିକ ସବୁଜ ଗୃହ ବାଷ୍ପ ନିର୍ଗମନରେ ସ୍ବଳ୍ପ ଅବଦାନ ରଖୁଥିଲେ ମଧ୍ୟ ଜଳବାୟୁ ପରିବର୍ତ୍ତନର ସବୁଠାରୁ ଅଧିକ କ୍ଷତି ସେହିମାନେ ସହୁଛନ୍ତି। ଅଧିକନ୍ତୁ ଘୂର୍ଣ୍ଣିଝଡ଼ ଏବଂ ଝଡ଼ବର୍ଷା ସବୁଠାରୁ ଅଧିକ ବିନାଶକାରୀ ରୂପେ ସୃଷ୍ଚିହୋଇ ବିଶ୍ୱରେ ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ଜଳବାୟୁ ପରିବର୍ତ୍ତନ ପାଇଁ ମଣିଷ ହିଁ ନିଜେ ଦାୟୀ। ଫଳରେ କେତେବେଳେ କେଉଁଠି ପ୍ରବଳ ବର୍ଷା ହେଉଛି ଏବଂ କେଉଁଠି ନାହିଁ ବା ସ୍ବଳ୍ପ ବୃଷ୍ଟି ହୋଇ ମରୁଡ଼ିର ପ୍ରଭାବ ଜନ୍ମ ନେଉଛି। ବିଶ୍ୱବ୍ୟାଙ୍କ ମତରେ ଭାରତରେ ୨୦୧୨ ମସିହା ପରେ ପ୍ରବଳ ବର୍ଷାର ମାତ୍ରା ୮୫% ବୃଦ୍ଧି ପାଇଛି। ବର୍ଷାର ପ୍ରଭାବ ହ୍ରାସ ବୃଦ୍ଧି ଘଟି କୃଷିଜାତ ଶସ୍ୟ ଯଥା ଧାନ, ଡାଲିଜାତୀୟ ଫସଲ, ତୈଳବୀଜ ଆଦି ଫସଲ ପ୍ରଭାବିତ ହୋଇଥାଏ। ମୁମ୍ବାଇ, ଚେନ୍ନାଇ, କୋଲକାତା ପରି ବଡ଼ ସହରରେ ପ୍ରବଳ ବର୍ଷା ଯୋଗୁ ନାଳଗୁଡ଼ିକ ଅତିରିକ୍ତ ଜଳ ଦ୍ୱାରା ପୂର୍ଣ୍ଣହେବା ସହ ସମଗ୍ର ସହର ଜଳାର୍ଣ୍ଣବ ହୋଇଯାଏ, ଯାହାକୁ ସହରୀ ବନ୍ୟା ବୋଲି ଅଭିହିତ କରାଯାଇଛି। ଏହି ସମସ୍ୟା ଓଡ଼ିଶାରେ ଚଳିତ ବର୍ଷ ବାଲେଶ୍ୱର ଏବଂ ଭୁବନେଶ୍ୱର ସହରରେ ଦେଖିବାକୁ ମିଳିଛି । ନିକଟରେ ଆମେ ଦେଖିଲେ ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ଘଟି ହିମାଳୟର ବରଫ ହ୍ରଦଗୁଡ଼ିକ ହଠାତ୍ ତରଳି ଭୂତେକୋଷୀ ଏବଂ ତ୍ରିଶୂଳୀ ନଦୀରେ ବନ୍ୟା ସୃଷ୍ଟିକଲା। ନେପାଳର କେତେକ ଅଞ୍ଚଳକୁ ଏବଂ ସେଠିକାର ଅଧିବାସୀମାନଙ୍କୁ ଭୟଙ୍କର ବିପଦରେ ପକାଇଲା। ସେହିପରି କେରଳର ୱାୟନାଡ୍ଠାରେ ଜୁଲାଇ ୨୦୨୪ରେ ବାଦଲଫଟା ବର୍ଷା ହୋଇ ଭୂସ୍ଖଳନ ହେଉ ବା କଶ୍ମୀର ଏବଂ ଉତ୍ତରାଖଣ୍ଡର ଅଞ୍ଚଳ ଉକ୍ତ ବାଦଲଫଟା ବର୍ଷା ପାଇଁ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଚଳିତ ବର୍ଷ ଓଡ଼ିଶାରେ ମହାନଦୀ, ବୈତରଣୀ ଆଦି ନଦୀରେ ବନ୍ୟା ସୃଷ୍ଟିହୋଇ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଭଳି ଜିଲାରେ ନାହିଁନଥିବା କ୍ଷତି ହେଲା। ସେହିପରି ଏହି ବର୍ଷ ଅର୍ଣ୍ଣବ ବାତ୍ୟାରେ ଗଞ୍ଜାମ ଜିଲାରେ ଅତିରିକ୍ତ ବର୍ଷା ଯୋଗୁ ଋଷିକୁଲ୍ୟା, ବାହୁଦା ଓ ଘୋଡ଼ାହାଡ଼ ନଦୀରେ ଭୟାନକ ବନ୍ୟା ସୃଷ୍ଟିହୋଇ ସୋରଡ଼ା, ପାତ୍ରପୁର, ଆସିକା, ଧରାକୋଟ, ପୁରୁଷୋତ୍ତମପୁର, ସାନପହଣ୍ଡି, ଚିକିଟି ଆଦି ଅଞ୍ଚଳର ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ହଜାର ହଜାର ଏକର ଚାଷଜମିରେ ଫସଲ ନଷ୍ଟ ହେଲା।
ଏବେ ଆଉ ଅପେକ୍ଷାର ବେଳ ନାହିଁ । ଜଳବାୟୁଭିତ୍ତିକ ସମସ୍ୟାର ସମାଧାନ ନିମନ୍ତେ ମିଳିମିଶି ସମସ୍ତେ ଅଣ୍ଟା ଭିଡ଼ିବା ଆବଶ୍ୟକ। ବୃକ୍ଷ ରୋପଣ କରିବା ସହ କୋଇଲା, ଖଣିଜ ତୈଳ ଆଦିର ବ୍ୟବହାର ହ୍ରାସ କରିବା ଉଚିତ। ନବୀକରଣ ଶକ୍ତିର ବ୍ୟବହାର, ବର୍ଷାଜଳ ସଂରକ୍ଷଣ, ନଦୀ, ପୋଖରୀ ପରି ଜଳାଶୟଗୁଡିକର ସୁରକ୍ଷା ନିହାତି ଜରୁରୀ। ଅନ୍ତତଃ ପକ୍ଷେ ଯଥା ସମ୍ଭବ ବୈଦ୍ୟୁତିକ ଯାନର ବ୍ୟବହାର ଏବଂ ସାମୂହିକ ପରିବହନରେ ଯିବା ଭଲ। ଜୈବିକ କୃଷି, ଜୈବ ଖତ ଏବଂ ଜଳବାୟୁ ପରିବର୍ତ୍ତନକୁ ସହିଲା ପରି ଚାଷ କାମ କରିବା ଉତ୍ତମ। ସବୁଜଗୃହ ବାଷ୍ପ ଯେପରିକି ଅଙ୍ଗାରକାମ୍ଳ, କ୍ଲୋରୋଫ୍ଲୋରକାର୍ବନ, ମିଥେନ୍ ଆଦିର ମାତ୍ରାକୁ ନିୟନ୍ତ୍ରଣ କରିବା ଜରୁରୀ।
ଅରିଜିତ ମିଶ୍ର
ଅଧ୍ୟାପକ (ଭୂଗୋଳ ବିଭାଗ)
ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ
କଟକ, ମୋ: ୯୦୪୦୩୫୦୦୮୯