ଚଳିତ ସପ୍ତାହରେ ଆସିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୭।୯(ବ୍ୟୁରୋ): ଅଗଷ୍ଟରେ ଲଘୁଚାପଜନିତ ବର୍ଷା ଯୋଗୁ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଆସନ୍ତା ୧୦ ତାରିଖ ସୁଦ୍ଧା ୮ ଜଣିଆ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଗସ୍ତରେ ଆସିବେ । ଏ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ଏହି ଟିମ୍‌ ବନ୍ୟା ଦ୍ୱାରା ଅତି ପ୍ରଭାବିତ ଜିଲା ବୁଲି ଦେଖିବେ। ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କେଉଁ ଦିନ କେନ୍ଦ୍ରୀୟ ଟିମ୍‌ ଗସ୍ତ କରିବେ ସେ ନେଇ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି ସ୍ବତନ୍ତ୍ର ରିଲିଫ କମିଶନ(ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା କହିଛନ୍ତି। ଟିମ୍‌ର ସଦସ୍ୟ ସଂଖ୍ୟାକୁ ଦେଖି କେଉଁ ଜିଲାକୁ କେଉଁ ଟିମ୍‌ ଯିବେ ତାହା ନିଷ୍ପତ୍ତି ହେବ। ତେବେ ଗତ ବନ୍ୟାରେ ଅଧିକ ପ୍ରଭାବିତ ବ୍ରାହ୍ମଣୀ ଓ ବୈତରଣୀ ନଦୀ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବାଲେଶ୍ୱ ଜିଲାର ବାଲେଶ୍ୱର ସଦର ବ୍ଲକ, ଭଦ୍ରକର ତିହିଡି ଓ ଧାମନଗର, ଯାଜପୁର ଜିଲାର ବରି ଓ ଡେରାବିଶ ବ୍ଲକ, କେନ୍ଦ୍ରାପଡ଼ାର ରାଜନଗର ଏବଂ ପୁରୀ ଜିଲାର କଣାସ ବ୍ଲକ ଗସ୍ତ କିରବା ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରୀୟ ଟିମ୍‌ ଦୁଇଦିନ ବନ୍ୟା କ୍ଷୟକ୍ଷତି ଅଞ୍ଚଳ ବୁଲି ଦେଖିବେ ବୋଲି ଜଣାପଡିଛି। ଲଘୁଚାପଜନିତ ବର୍ଷା ଯୋଗୁ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ମହାନଦୀରେ ଆସିଥିବା ବନ୍ୟା ଯୋଗୁ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ଅନେକ ଜିଲା ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ବନ୍ୟା ଯୋଗୁ ରାଜ୍ୟର ୨୦ ଜିଲା ପ୍ରଭାବିତ ହୋଇଛି। ସେହି ଜିଲାଗୁଡିକ ହେଲା ଅନୁଗୋଳ, ବାଲେଶ୍ୱର, ବରଗଡ, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ, ନୂଆପଡା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼। ଚଳତ ବନ୍ୟାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ହଜାର ୩୮୨ ଘର ଭାଙ୍ଗିଛି। ସେହିପରି ୧ ଲକ୍ଷ ୬୮ ହଜାର ହେକ୍ଟର ଜମି ଜଳମଗ୍ନ ହୋଇଥିବା ବେଳେ ୧୧୨ ବ୍ଲକର ୮୯୬ ପଞ୍ଚାୟର ୩୨୫୬ ଗ୍ରାମ ପ୍ରଭାବିତ ହୋଇଛି। ୩୪୦ ଗ୍ରାମର ୨ ଲକ୍ଷ ୬୫ ହଜାର ଲୋକ ପାଣିଘେରରେ ରହିଥିଲେ। ତେବେ କେନ୍ଦ୍ରୀୟ ଟିମ୍‌ ଆସିବା ପୂର୍ବରୁ ଆଉ ଏକ ରିପୋର୍ଟ ୧୫ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲାପାଳମାନେ ସୋମବାର ରାଜ୍ୟର ବନ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେବେ । ଏହି ରିପୋର୍ଟ କେନ୍ଦ୍ରୀୟ ଟିମ୍‌କୁ ପ୍ରଦାନ କରାଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି।