ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ମାମଲା:ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ନିର୍ଦ୍ଦେଶ

କଟକ,୬ା୧୦ (କାର୍ତ୍ତିକ ସାହୁ):ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ବିରୋଧରେ ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ଗୁରୁବାର ହୋଇଛି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ଉଚ୍ଚ ଶିକ୍ଷାନୁଷ୍ଠାନରେ କେବେଠାରୁ, କାହିଁକି ନିର୍ବାଚନ ବନ୍ଦ ହୋଇଛି, ସେ ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ଅବଗତ କରାଇବା ନିମନ୍ତେ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମାମଲାର ବିବରଣୀ ଅନୁଯାୟୀ, ଗତ ୫ ବର୍ଷ ଧରି ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର କ୍ୟାମ୍ପସଗୁଡ଼ିକ ଅଶାନ୍ତ ରହିବା ଓ ଲିଙ୍ଗ୍‌ଡୋ କମିଶନ ନିୟମ ପାଳନ କରା ନ ଯିବା ଦର୍ଶାଇ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ କରାଉନାହାନ୍ତି। ହେଲେ ସମ୍ବିଧାନ ଓ ଲିଙ୍ଗ୍‌ଡ଼ୋ କମିଶନଙ୍କ ରିପୋର୍ଟ ଅନୁଯାୟୀ ୧୮ବର୍ଷ ବୟସରେ ଜଣେ ବ୍ୟକ୍ତି ଦେଶ ତଥା ରାଜ୍ୟର ନେତା ମନୋନୀତ କରିବାର ଅଧିକାର ପାଉଛନ୍ତି। ତେଣୁ ରାଜ୍ୟର ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ପ୍ରାର୍ଥନା କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଗତ ସେପ୍ଟେମ୍ବର ୧୮ରେ ଦାଏର ହୋଇଛି। ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ ଓ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଚଣ୍ଡୀ ପ୍ରସାଦ ସୁଆରଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି। ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଶିକ୍ଷା ସଚିବ, ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ, ଗଣଶିକ୍ଷା ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି। ଆଇନଜୀବୀ ସୌମିକ ତ୍ରିପାଠୀ ଏବଂ ସୁମନ ପ୍ରିୟଦର୍ଶିନୀ ମାମଲା ପରିଚାଳନାରେ ସହଯୋଗ କରୁଛନ୍ତି।