ଡାକ୍ତରଙ୍କ ଅଭିଯୋଗରେ ମାମଲା ରୁଜୁ

ନିଶ୍ଚିନ୍ତକୋଇଲି, ୨୨ା୭ (ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ରାତିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ତାଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଥିବା ନେଇ ଡାକ୍ତର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉଭୟ ପକ୍ଷରୁ ଅଭିଯୋଗ ଗ୍ରହଣ କରିଥିଲେ ହେଁ ଡାକ୍ତରଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ନଂ. ୮୯/୨୧ରେ ମାମଲା ରୁଜୁ କରିଛି। ମୃତା ବୃଦ୍ଧାଙ୍କ କନ୍ୟା ମମତା ବେହେରାଙ୍କ ଅଭିଯୋଗକୁ ଭିତ୍ତିକରି କେବଳ ଷ୍ଟେଶନ ଡାଏରୀ କରାଯାଇଛି। ପୋଲିସ ବୁଧବାର ମୃତଦେହ ଜବତ କରି କଟକ ବଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିଲେ ରୋଗୀ ସମ୍ପର୍କୀୟଙ୍କ ଅଭିଯୋଗକୁ ବିଚାରକୁ ନିଆଯିବ ବୋଲି ଆଇଆଇସି ଚିନ୍ମୟୀ ସାହୁ କହିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ମୁଣ୍ଡିଲୋ ଗଁାର ବାଇଧର ରାଉତଙ୍କ ସ୍ତ୍ରୀ ହେମଲତା(୬୦) ଅସୁସ୍ଥ ଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ମଙ୍ଗଳବାର ରାତ୍ରରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହେମଲତାଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସା ଦାୟିତ୍ୱରେ ଥିବା କର୍ମଚାରୀମାନେ ଅବହେଳା କରିବା ସହ ତ୍ରୁଟିପୂର୍ଣ୍ଣ ଭାବେ ଭୁଲ ଔଷଧ ଓ ଇଞ୍ଜେକ୍‌ଶନ ଦେଇଥିଲେ ବୋଲି ମୃତକଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ। ହେମଲତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସଫେଇ ଦିଆଯାଇଥିଲା। ହେମଲତାଙ୍କ ମୃତ୍ୟୁ ନିମନ୍ତେ ଡାକ୍ତରଙ୍କୁ ଦାୟୀ କରାଯିବା ସହ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ହୋହଲ୍ଲା କରିଥିଲେ। ଏପରିକି କର୍ତ୍ତବ୍ୟରତ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି।