ଦ୍ରୁତଗତିରେ ଆସି ବୋଲେରୋକୁ ସାମ୍ନାପଟୁ ଧକ୍କା ଦେଲା କାର୍‌, ଆଉ ତା’ପରେ…

ଦେବଡ଼,୪ା୫(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ନିକଟ ରାଜ୍ୟ ରାଜପଥରେ ରବିବାର ରାତିରେ ଏକ ବୋଲେରୋ ଏବଂ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଉଭୟ ଗାଡ଼ିର ୮ ଜଣ ଆହତ ହୋଇଥିବା ବେଳେ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ରବିବାର ରାତିରେ ୩ ଜଣ ମହିଳାଙ୍କ ସମେତ ୬ ଜଣ ଏକ ବୋଲରୋ (ଓଡି-୧୪-ଏଲ-୬୧୬୦) ଯୋଗେ ବାହାଡ଼ାପସି ପଟୁ ରାଉରକେଲା ଅଭିମୁଖେ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଏକ କାର୍‌
(ଓଡି-୧୪-ଏଏଚ୍‌-୫୭୨୬) ଯୋଗେ ୪ ଜଣ ଯୁବକ ଦ୍ରୁତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ବୋଲେରୋକୁ ସାମ୍ନାପଟୁ ଧକ୍କା ଦେଇଥିଲେ। ଦୁର୍ଘଟଣାରେ କାର୍‌ ଚାଳକଙ୍କ ଉଭୟ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଅନ୍ୟ ୩ ଯୁବକ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କ ପରିଚୟ ମିଳିପାରିନାହିଁ। ଅନ୍ୟପଟେ ବୋଲେରୋ ଚାଳକ ଲହୁଣୀପଡ଼ା ଅଞ୍ଚଳର ସୁଜିତ ମୁଣ୍ଡାଙ୍କ ସମେତ ବୋଲେରୋରେ ଥିବା କରିଆଡିହି ଗ୍ରାମର ପାସିଙ୍ଗ ମୁଣ୍ଡା, ଦିପୁ ସୋଏ, ଆଶ୍ରିତା ସୋଏ ଆହତ ହୋଇଛନ୍ତି। ଅନ୍ୟ ୨ ଜଣ ମହିଳା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ବାରକୋଟ ଡାକ୍ତରଖାନା ପଠାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଆହତଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ବାରକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହିତ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ି ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share