ରାଜଧାନୀ ଜଗିବେ ୧୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର,୧୪ ।୧୧(ବ୍ୟୁରୋ): ଆଜି ଦୀପାବଳି। ହେଲେ ମହାମାରୀ କରୋନା ପାଇଁ ଏଥର ଏହି ଆଲୋକର ପର୍ବ ଫିକା ପଡ଼ିବାକୁ ଯାଉଛି। ବାଣ ଫୁଟାଇ ଧୁମ୍‌ଧାମ୍‌ରେ ଦୀପାବଳି ପାଳନ ଉପରେ ରୋକ ଲଗାଯାଇଛି। କେବଳ ଦୀପ ଜାଳିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ସହ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷିତ ଦୀପାବଳି ପାଳନ ପାଇଁ କଟକଣା ଲାଗୁ କରାଯାଇଛି। ଏଥିସହ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀର ସୁରକ୍ଷାକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯଦି କେହି ବେଆଇନ ଭାବେ ବାଣ ବିକ୍ରି କରନ୍ତି ବା ଫୁଟାନ୍ତି, ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ନଜରକୁ ଆସିଲେ ତୁରନ୍ତ ଟୋଲ୍‌ ଫ୍ରି ନଂ.୧୦୦ରେ ଜଣାଇବାକୁ ଡିସିପି ଉମାଶଙ୍କର ଦାଶ ରାଜଧାନୀବାସୀଙ୍କୁ ନିବେଦନ କରିଛନ୍ତି।
ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ, ରାସ୍ତାରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିଭଳି ବାଣ ଦୋକାନ ଖୋଲିବା ଉପରେ ରୋକ ଲଗାଯାଇଛି। ଏହାକୁ କଡାକଡି ପାଳନ କରିବାକୁ ଡିସିପି ଦାସ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା କଟକଣା ଭିତରେ ରାଜଧାନୀବାସୀ ଯେପରି ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ମାନି ଖୁସି ଓ ଆନନ୍ଦରେ ଦୀପାବଳି ପାଳନ କରିବେ, ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଛନ୍ତି।

 

ଦକ୍ଷିଣ କାଳୀପୀଠରେ ୧୪୪ ଧାରା

ସାକ୍ଷୀଗୋପାଳ, ୧୪ ।୧୧(ଡି.ଏନ୍‌.ଏ): ଚଳିତବର୍ଷ କୋଭିଡ୍‌ କଟକଣା ଓ ଭିଡ଼କୁ ଦୃଷ୍ଟିରେ ରଖି ବୀରଗୋବିନ୍ଦପୁରସ୍ଥିତ ଦକ୍ଷିଣ କାଳୀପୀଠରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଶୁକ୍ରବାର ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ ଏହି ସୂଚନା ଦେଇ କହିଛନ୍ତି, ଶନିବାର କାଳୀପୂଜା ଓ ରବିବାର ଭସାଣି ପାଇଁ ଗହଳି ହେବାର ସମ୍ଭାବନା ରହିଛି। ଭିଡ଼ ଏଡ଼ାଇବା ପାଇଁ ଉକ୍ତ ଦୁଇଦିନ ୧୪୪ ଧାରା ଜାରି କରାଯାଇଛି।