ଆଶାବାଡ଼ି ଭରସାରେ ବିଚିତ୍ର

ରାଜକନିକା,୨୭ା୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‌ ପାରିନୂଆପଡ଼ା-ହାବଳଗଣ୍ଡ ପଞ୍ଚାୟତ କଇଥାପାଳ ଗାଁ ର ବିଚିତ୍ର ଜେନା(୩୫) କିଛିବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଆଶାବାଡ଼ିକୁ ଭରସା କରି ତାଙ୍କ ଦିନ କଟୁଛି। ଆର୍ଥିକ ଅନଟନ ଯୋଗୁ ତାଙ୍କୁ ଉପଯୁକ୍ତ ଚିକିତ୍ସା ସେବା ବି ମିଳୁନାହିଁ। ଏପରି ସ୍ଥିତିରେ ସେ କେବଳ ଭାଗ୍ୟକୁ ଆଦରି ରୋଗ ସହିତ ସଂଗ୍ରାମ କରୁଛନ୍ତି।
ଦିନ ଥିଲା ବିଚିତ୍ର ହାଇଦ୍ରାବାଦରେ ରହି କାମ କରି ଭଲ ଦି ପଇସା ରୋଜଗାର କରୁଥିଲେ। ସେଥିରେ ତାଙ୍କ ପରିବାର ଗୁଜୁରାଣ ମେଣ୍ଟିଯାଉଥିଲା। ହେଲେ କିଛିଦିନ ତଳେ ହାଇଦ୍ରାବାଦରେ କାମ କରିବା ଅବସ୍ଥାରେ ତାଙ୍କ ହାତଗୋଡ଼ ଅକାମୀ ହୋଇଗଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ପକ୍ଷାଘାତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସେ ଗାଁକୁ ଫେରିଆସିଥିଲେ। ଏହାପରେ ଚାଲିଥିଲା ଚିକିତ୍ସା। ଯାହାକିଛି ସଞ୍ଚତ୍ତ ଅର୍ଥ ଥିଲା ତାହା ସରିଯିବା ପରେ ଧାରଉଧାର କରିବା ଆରମ୍ଭ ହେଲା।କଟକ ବଡ଼ ଡାକ୍ତରଖାନା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବିଚିତ୍ର ଔଷଧ ଖାଉଥିଲେ। ହେଲେ ସମୁଦ୍ରକୁ ଶଙ୍ଖେ ପରି ଅନ୍ୟର ହାତଟେକା ଟଙ୍କା ତାଙ୍କ ରୋଗ ଭଲ କଲା ନାହିଁ। ଏବେ ସେ ଘରେ ପଡିଛନ୍ତି। ଆଉ ଥରେ କଟକ ଯାଇ ଡାକ୍ତରଙ୍କୁ ପରାମର୍ଶ କରିବାକୁ ତାଙ୍କ ପାଖେ ସମ୍ବଳ ନାହିଁ।
କଇଥାପାଳ ଜେନାସାହିରେ ଥିବା ବିଚିତ୍ରଙ୍କ ପରିବାର କହିଲେ ସ୍ତ୍ରୀ ସସ୍ମିତା, ୨ ଛୋଟ ଝିଅ ରାନୀ ଓ ଅନୀଙ୍କୁ ନେଇ ତାଙ୍କ ତେଲଲୁଣର ସଂସାର। ଯେଉଁ ବୟସରେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା କଥା ତାହା ତାଙ୍କ ଦ୍ୱାରା ସମ୍ଭବ ହେଲା ନାହିଁ। ଆଶା ବାଡ଼ି ତାଙ୍କ ସାହାରା ସାଜିଲା। ଝିଅର ପାଠ ପଢା କଥା ପଚାରେ ବା କିଏ। ଦିନକୁ ଦିଓଳି ଦିମୁଠା ଖାଇବା ପାଉ ନ ଥିବା ବିଚିତ୍ରଙ୍କ ପରିବାର ବହୁତ ଦୁଃଖକଷ୍ଟରେ ଦିନ କାଟୁଛନ୍ତି। ଜମିବାଡ଼ି ନ ଥିବାରୁ ବିଚିତ୍ରଙ୍କୁ ରାଶନ କାର୍ଡ଼, ସ୍ବାସ୍ଥ୍ୟବୀମା କାର୍ଡ଼ କି ଆବାସ ଯୋଜନାରେ ଘରଟିଏ ବି ମିଳି ନାହିଁ। ସ୍ବାମୀଙ୍କ ଚିକିତ୍ସା ପାଇଁ ଅର୍ଥର ଜରୁରୀ ଆବଶ୍ୟକତା ଥିବାରୁ ସ୍ତ୍ରୀ ସସ୍ମିତା ସରକାରୀ ସହାୟତା ଉପରେ ନିର୍ଭର କରିଛନ୍ତି। କୌଣସି ବେସରକାରୀ ସଂସ୍ଥା, କିମ୍ବା ବଦାନ୍ୟ ବ୍ୟକ୍ତି ତାଙ୍କ ସ୍ବାମୀଙ୍କ ଚିକିତ୍ସା ପାଇଁ ସହଯୋଗ କଲେ ସେ ଚିରଉପକୃତ ହେବେ ବୋଲି ସେ କହିଛନ୍ତି।