ମରଣଯନ୍ତା ପାଲଟିଛି କେନାଲବନ୍ଧ ରାସ୍ତା

ନିଶ୍ଚିନ୍ତକୋଇଲି,୩।୧୦(ଅଶୋକ କୁମାର ମହାପାତ୍ର):କେନ୍ଦ୍ରାପଡ଼ା ଜିଲା ଛତା ଜଳସମ୍ପଦ ବିଭାଗ ଓ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ୯ ନମ୍ବର କେନାଲବନ୍ଧ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବାରୁ କେନାଲବନ୍ଧ ଭୁଶୁଡିବା ନେଇ ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲା ଛତା ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ନିଶ୍ଚିନ୍ତକୋଇଲି ବ୍ଲକ ଦେଇ ପ୍ରବାହିତ ୯ ନମ୍ବର କେନାଲ ରହିଛି। ଏହି କେନାଲବନ୍ଧକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ନିକଟରେ କୋଟି କୋଟି ଟଙ୍କା ବ୍ୟୟରେ ଏହି କେନାଲବନ୍ଧର ବାଲିଆପଦାଠାରୁ ସୁକରପଡା ପର୍ଯ୍ୟନ୍ତ ଦକ୍ଷିଣ ପାର୍ଶ୍ୱକୁ ନିର୍ମାଣ କରାଯାଇଥିଲା। ମାତ୍ର ନିମ୍ନମାନର କାର୍ଯ୍ୟହେତୁ ନିର୍ମାଣର ମାତ୍ର ଅଳ୍ପଦିନ ପରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଯାଇଛି। ସେହିପରି ଏହି କେନାଲବନ୍ଧରେ ସେତୁ ନିର୍ମାଣ ଓ ଗାର୍ଡୱାଲ ନିର୍ମାଣରେ ଜଳସମ୍ପଦ ବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ କରାଯାଇଥିଲା। ତେବେ ଗାର୍ଡୱାଲ ଓ ସେତୁ ନିର୍ମାଣ ଅଟକଳ ଅନୁଯାୟୀ କରାଯାଇ ନ ଥିବା ବେଳେ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଏବେ କେନାଲବନ୍ଧର ବାଲିଆପଦା ପଞ୍ଚାୟତ ଅନ୍ତର୍ଗତ ଫତେପୁରଠାରେ ରାସ୍ତାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ କେନାଲବନ୍ଧ ଭାଙ୍ଗି ଘାଇ ସୃଷ୍ଟିହେବା ନେଇ ଆଶଙ୍କା ରହିଛି। ଏପରି ହେଲେ ଶହ ଶହ ଏକର ଧାନବିଲ ନଷ୍ଟ ହୋଇଯିବ ବୋଲି କେତେଜଣ ଚାଷୀ କହିଛନ୍ତି। ଏହି ରାସ୍ତା ଉପରେ ଗମନାଗମନ ନିମନ୍ତେ ସ୍ଥାନୀୟ ବାଲିଆପଦା, କେଣ୍ଟାଳୋ, କଟରପଡା, ସୁକରପଡା, ସରପଡା ଆଦି ପଞ୍ଚାୟତର ଲୋକେ ନିର୍ଭରଶୀଳ। ଏହି ରାସ୍ତା ଦେଇ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କ ସମେତ ଅଙ୍ଗନୱାଡି ଶିଶୁମାନେ ଯାତାୟାତ କରିଥାନ୍ତି। ମାତ୍ର ରାସ୍ତାରେ ଗର୍ତ୍ତ ହୋଇଥିବାରୁ ଦୁର୍ଘଟଣା ହେବାର ଆଶଙ୍କା ରହିଛି। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟିବାର ନଜୀର ରହିଛି। ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବା କାରଣରୁ ଜରୁରୀ କାଳୀନ ପରିସ୍ଥିତିରେ ଏହି ରାସ୍ତାଦେଇ ଦମକଳ ଗାଡି କିମ୍ବା ଆମ୍ବୁଲାନ ଆସିପାରୁନାହିଁ। ଫଳରେ ବହୁ ସମୟରେ ଗର୍ଭବତ, ପ୍ରସୁତୀଙ୍କ ସମେତ ଶିଶୁମାନେ ଡାକ୍ତରଖାନାକୁ ଯାଇପାରୁ ନ ଥିବା ଅଭିଯୋଗ ହୋଇଛି। ଉଭୟ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ଏହାସତ୍ତ୍ୱେ ଜଳସମ୍ପଦ ବିଭାଗ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଦୁଇ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ଦାୟିତ୍ୱ ନେବାକୁ କେହି ଆଗକୁ ଆସୁ ନ ଥିବା ଅଭିଯୋଗ ହୋଇଛି। ପ୍ରଶାସନ ତରଫରୁ ତୁରନ୍ତ ଏନେଇ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଏଠାରେ ଏକ ବଡ଼ଧରଣର ଅଘଟଣକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବା ବେଳେ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ ଗାହାଣ କୁହନ୍ତି, ରାସ୍ତାର ଦୁରବସ୍ଥା ସମ୍ପର୍କରେ ମୋ ପାଖରେ କୌଣସି ସୂଚନା ନାହିଁ ଯଦି ସୂଚନା ମିଳେ ତେବେ ପଦକ୍ଷେପ ନିଆଯିବ।