ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡ଼ିଥିଲା ଯେ, ‘ଅବ୍କି ବାର୍ ୪୦୦ ପାର୍’ ଧ୍ୱନି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା। ବିହାରର ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ୧୨ ଓ ଆନ୍ଧ୍ରପ୍ରଦେଶର ଏନ୍. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁଦେଶମ ପାର୍ଟି (ଟିଡିପି)ର ୧୬ ସଂଖ୍ୟାକୁ ମିଶାଇଲେ ମୋଟ ୨୮ର ସମର୍ଥନ ହାସଲ କରିବା ପରେ କେନ୍ଦ୍ରର ଭାଜପା କ୍ଷମତାକୁ ଆସିବାରେ ସକ୍ଷମ ହୋଇଥିଲା। ଏହାବ୍ୟତୀତ ଓଡ଼ିଶାର ମୋଟ ୨୧ ଲୋକ ସଭା ଆସନରୁ ୨୦ ଆସନ ପ୍ରଥମ ଥର ପାଇଁ ହାସଲ କରିଥିବା ଭାଜପା ଅନ୍ୟ ଦୁଇ ଦଳ-ଜେଡିୟୁ ଓ ଟିଡିପିର ସମର୍ଥନ ଲୋଡ଼ିବାକୁ ଦାବି କରିପାରିଥିଲା। ଓଡ଼ିଶାରୁ ୨୦ ଜିଣି ନ ଥିଲେ ସରକାର ଗଢ଼ିବା ପାଇଁ ଦାବି କରିବା ମଧ୍ୟ ସମ୍ଭବପର ହୋଇପାରି ନ ଥାନ୍ତା। ଏପରିକି ୨୦୧୪ରେ ୩,୭୧,୭୮୪ ଏବଂ ୨୦୧୯ରେ ୪,୭୯,୫୦୫ ଭୋଟ ବ୍ୟବଧାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରୁ ଜିତିଥିବା ବେଳେ ୨୦୨୪ରେ ତାହା ହ୍ରାସ ପାଇ ୧,୫୨,୫୧୩କୁ ଖସିଯାଇଥିଲା। ଏହିସବୁ ତଥ୍ୟକୁ ପ୍ରଚ୍ଛଦପଟରେ ରଖିଲେ କ୍ଷମତାସୀନ ଭାଜପାର ଆଭ୍ୟନ୍ତରୀଣ ଭୟ ବୁଝିବା କଷ୍ଟକର ନୁହେଁ। ସମ୍ବିଧାନକୁ ବଦଳାଇବା ପାଇଁ ଲକ୍ଷ୍ୟ ରଖି ‘୪୦୦ ପାର୍ ଧ୍ୱନି’ ଭାରତର ଜନସାଧାରଣଙ୍କୁ ୨୦୨୪ରେ ଚିନ୍ତାରେ ପକାଇଥିଲା। ସେଥିପାଇଁ ଭାଜପା ଏକାକୀ ସଂଖ୍ୟାଗରିଷ୍ଠତା ପାଇପାରି ନ ଥିଲା ଏବଂ ମୋଦିଙ୍କ ଭଳି ଟାଣୁଆ ନେତାଙ୍କ ତୁଳନାରେ ଅନ୍ୟ ଦୁଇ କୁଜି ନେତାଙ୍କ ଦ୍ୱାରସ୍ଥ ହୋଇ ସମର୍ଥନ ଭିକ୍ଷା କରିବା ନିଶ୍ଚିତଭାବେ ଭାଜପାର ଅହଂଭାବକୁ ଚୂରମାର କରିଦେଇଥିଲା। ଏଭଳି ପରିସ୍ଥିତିରେ ମୋଦି ନିଜର ରାଜନୀତିରେ ପରିବର୍ତ୍ତନ ଆଣି ଲୋକଙ୍କ ପାଖରେ ଅଧିକ ପ୍ରିୟ ହେବାର ଉଦ୍ୟମ କରିବା ପରିବର୍ତ୍ତେ ଜ୍ଞାନେଶ କୁମାରଙ୍କ ଭଳି ଜଣେ ଅଫିସରଙ୍କୁ ଧରି ନୂଆ ଅସ୍ତ୍ର ଭାବେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ଆଣିଲେ। ଏହାକୁ ୨୦୨୫ ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ କରି ତାହାର ସଫଳତାକୁ ପରଖିନେଲେ। ଏହାପରେ ତରବରିଆ ଭାବେ ପଶ୍ଚିମବଙ୍ଗରେ ସମାନ ଶୈଳୀରେ ଏସ୍ଆଇଆର୍କୁ କାର୍ଯ୍ୟକାରୀ କରାଇ ଦ୍ୱିତୀୟ ସଫଳତାକୁ ମାପିଲେ। ଏବେ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶବ୍ୟାପୀ ୧୩ କୋଟିରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପକାଇ ଦିଆଯାଇଛି। ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ଏହି ସଂଖ୍ୟା ବିରାଟକାୟ ଏବଂ ଏସ୍ଆଇଆର୍ ଭଳି ସରକାରୀ ପଦକ୍ଷେପ ଗଣତନ୍ତ୍ର ପାଇଁ ବଡ଼ ବିପଦ ସୃଷ୍ଟି କରିପାରିଛି। ୨୦୨୭ ଆରମ୍ଭରୁ ଉତ୍ତରପ୍ରଦେଶ ସମେତ ଅନ୍ୟ କେତୋଟି ରାଜ୍ୟର ବିଧାନସଭା ନିର୍ବାଚନ ମାଡ଼ିଆସୁଛି। ଏଭଳି ପରିସ୍ଥିତିରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଡାକରାକୁ ସମସ୍ତେ ଭୁଲିଗଲା ଭଳି ମନେହେଉଛି। ତାହା ହୋଇନାହିଁ ବୋଲି ଏସ୍ଆଇଆର୍ ଭଳି କାର୍ଯ୍ୟକ୍ରମର ପରୀକ୍ଷା କରିବା ସମ୍ଭବପର ହୋଇପାରିଲା।
କେବଳ ନିର୍ବାଚନରେ ଏସ୍ଆଇଆର୍ର ପ୍ରଭାବ ସୀମିତ ରହିନାହିଁ। ବିହାର ଏସ୍ଆଇଆର୍ ସମୟରେ ସୁପ୍ରିମ୍କୋର୍ଟରେ ଆଧାର ସମ୍ପର୍କିତ ମାମଲା ରୁଜୁ ହୋଇଥିଲା ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଘୋଷଣା କଲେ ଯେ, ଆଧାର ଭାରତୀୟ ନାଗରିକତ୍ୱର ପ୍ରମାଣପତ୍ର ନୁହେଁ। ଅର୍ଥାତ୍ ଆଧାରର ଗୁରୁତ୍ୱ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଗଲା। ତତ୍ସହିତ ରାଶନ କାର୍ଡ ମଧ୍ୟ ନାଗରିକତ୍ୱର ପ୍ରମାଣ ନୁହେଁ। ଏପରିକି ଏସ୍ଆଇଆର୍କୁ ସଫଳ କରିବାକୁ ଯାଇ ସମ୍ଭବତଃ ଭାରତ ହେଉଛି ପ୍ରଥମ ଦେଶ ଯେଉଁଠାରେ ସରକାର ଘୋଷଣା କଲେ ଯେ, ଭାରତୀୟ ପାସ୍ପୋର୍ଟ ମଧ୍ୟ ନାଗରିକର ପ୍ରମାଣପତ୍ର ନୁହେଁ। ସରକାରଙ୍କ ଗୋଟିଏ ଗଣତନ୍ତ୍ର ବିରୋଧୀ ପଦକ୍ଷେପ ଯୋଗୁ ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବିଭିନ୍ନ ପରିଚୟ ପ୍ରମାଣପତ୍ରକୁ ଅବୈଧ ଭଳି କରାଇ ଦିଆଗଲା। ଏଥିରୁ ବୁଝିବାକୁ ହେବ ଯେ, କ୍ଷମତାସୀନ ଦଳ ଏସ୍ଆଇଆର୍ ପଛରେ କେତେ ଅଧିକ କଳ ବଳ କୌଶଳ ଲଗାଇ ୨୦୨୯ ପାଇଁ ପ୍ରସ୍ତୁତ ହେଉଛି। ତେଣୁ ଏସ୍ଆଇଆର୍କୁ କେବଳ ଭୋଟ ଚୋରି କହିବା, ତା’ର ଗୁରୁତ୍ୱ ହ୍ରାସ କଲାଭଳି ମନେହୁଏ। ଏସ୍ଆଇଆର୍ ମାଧ୍ୟମରେ ଭାରତର ଗଣତନ୍ତ୍ରକୁ ଏକରକମ ସମାଧି ଦେଇ ୨୦୨୯ରେ ‘୪୦୦ ପାର୍’ କରାଇପାରିଲେ ସମ୍ବିଧାନକୁ ବଦଳାଇ ଦେଶରେ ଗୋଟିଏ ଦଳର ସ୍ଥାୟୀ ଶାସନକୁ ପ୍ରତିଷ୍ଠା କରାଇ ଦିଆଯାଇପାରିବ। ଏହିଭଳି ଉଦ୍ୟମ ଇରାକରେ ସଦ୍ଦାମ ହୁସେନ ଓ ତାଙ୍କ ବାଥ୍ ରାଜନୈତିକ ଦଳ କରିଥିବାର ଐତିହାସିକ ଦୃଷ୍ଟାନ୍ତ ଅଛି।