ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ରେଙ୍ଗାଲି ଡ୍ୟାମ୍ ଅଞ୍ଚଳରୁ ବାହାରି ବୁଢାପାଳ ଦେଇ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ବସ୍ର ଡ୍ରାଇଭର ଏବଂ ଜଣେ ମହିଳା ଯାତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ସୁରଙ୍ଗିପାଳ ନିକଟରେ ପହଞ୍ଚିବା ପରେ ବସ୍ର ଷ୍ଟିଅରିଂ ହଠାତ୍ ଢିଲା ହୋଇଯାଇଥିଲା। ଫଳରେ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ। ତେବେ ବିପଦପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଓ ଅଭିଜ୍ଞତାକୁ କାମରେ ଲଗାଇ ବସ୍କୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଥିଲେ। ଫଳସ୍ବରୂପ ଏକ ବଡ଼ ଧରଣର ଅଘଟଣ ଟଳିଯାଇଥିବା ବେଳେ ବସ୍ରେ ଥିବା ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଯାଇଥିବା କୁହାଯାଉଛି। ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ଡାହାଣ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ବେଳେ ଜଣେ ମହିଳା ଯାତ୍ରୀ ମଧ୍ୟ ଗୁରୁତର ହୋଇଛନ୍ତି।
ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଆହତମାନଙ୍କୁ ସହାୟତା କରିଥିଲେ। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟ ଆହତଙ୍କୁ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବସ୍ ଡ୍ରାଇଭରଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।
ଅନ୍ୟପକ୍ଷରେ ଆହତ ମହିଳା ଯାତ୍ରୀଙ୍କ ଚିକିତ୍ସା ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ ଯାତାୟାତ ମଧ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ଯାତାୟାତକୁ ସ୍ବାଭାବିକ କରିଥିଲେ।