ଛତ୍ରପୁର,୧ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଗୁରୁବାର ଏକ ଅଭାବନୀୟ ସିରିଜ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଭାଗ୍ୟଲକ୍ଷ୍ମୀ ନଗର ଅଞ୍ଚଳର ଟୁକୁନା ଆଚାରୀ। ଗୁରୁତରମାନେ ହେଲେ ବୁଡୁ ଗୌଡ଼, ଆକାଶ ଗୌଡ଼ ଓ ପ୍ରଶାନ୍ତ ଶବର।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ବସ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଧକ୍କା ପରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଏକ ସ୍କୁଟି ବାଇକ୍ଗୁଡ଼ିକ ଉପରେ ଚଢ଼ିଯାଇଥିଲା। ଏହି ସମୟରେ ଟୁକୁନା ବସ୍ ଚକା ତଳେ ଚାପି ଯାଇଥିଲେ।
ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଓ୍ବାର୍ କଟର୍ ସାହାଯ୍ୟରେ ବସ୍କୁ କାଟି ଟୁକୁନାଙ୍କୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ପହଞ୍ଚି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଟୁକୁନାଙ୍କ ସମେତ ଗୁରୁତରମାନଙ୍କୁ ନିଜ ଗାଡ଼ିରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଟୁକୁନାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଛତ୍ରପୁର ମେଡିକାଲରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ, ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଚମାଖଣ୍ଡି ଥାନା ପୋଲିସ ଟ୍ରକ୍ଟିକୁ କାଳିଆବାଲି ରାସ୍ତାରେ ପିଛା କରି ଧରିଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।