ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବକୁ ଆରମ୍ଭ ହେଲା ବସ୍‌ ସେବା

ମାଲକାନଗିରି/ଚିତ୍ରକୋଣ୍ଡା,୧୧ା୭(ଡି.ଏନ.ଏ.)-ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲଙ୍କ ଉଦ୍ୟମରେ ଶୁକ୍ରବାରଠାରୁ ସ୍ବାଭିମାନ ଅଞ୍ଚଳର ଯୋଡାମ୍ବକୁ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ମାଲକାନଗିରି ସଦର ମହକୁମାରୁ ଚିତ୍ରକୋଣ୍ଡାର ଯୋଡ଼ାମ୍ବକୁ ଏହି ବସ୍‌ ସେବା ଆରମ୍ଭ ହୋଇଛି। ଗୁରୁପ୍ରିୟା ସେତୁ ଉଦ୍‌ଘାଟିତ ହେବାପରଠାରୁ ସ୍ବାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟ ତ୍ୱରାନ୍ବିତ ହେବାରେ ଲାଗିଛି। ଶୁକ୍ରବାର ଯୋଡାମ୍ବକୁ ବସ୍‌ ସେବା ଆରମ୍ଭ ହୋଇ ଅଞ୍ଚଳବାସୀଙ୍କ ଦୀର୍ଘଦିନର ପ୍ରତୀକ୍ଷାରେ ଅନ୍ତ ଘଟିଛି। ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଡାମ୍ବ ପଞ୍ଚାୟତ ସଦର ମହକୁମାକୁ ରାଜ୍ୟ ସଡକ ପରିବହନର ବସ୍‌କୁ ସ୍ଥାନୀୟ ବସଷ୍ଟାଣ୍ଡରୁ ଶୁଭାରମ୍ଭ କରିଥିଲେ। ପୂର୍ବତନ ବିଧାୟକ ମାନସ ମାଡକାମି, ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ବସ୍‌ ପ୍ରତିଦିନ ସକାଳ ୮ଟାରୁ ମାଲକାନଗିରିରୁ ବାହାରି ମଧ୍ୟାହ୍ନ ୧୨ଟାରେ ଯୋଡାମ୍ବରେ ପହଞ୍ଚତ୍ବ। ସେଠାରୁ ଅପରାହ୍ନ ୨ଟାରେ ବାହାରି ମାଲକାନଗିରିରେ ସନ୍ଧ୍ୟାରେ ପହଞ୍ଚତ୍ବ ବୋଲି ସ୍ଥିର ହୋଇଛି। ପୂର୍ବରୁ ଯୋଡାମ୍ବରୁ ମାଲକାନଗିରି ଯିବାକୁ ହେଲେ ଅଞ୍ଚଳ ବାସୀ ପ୍ରଥମେ ଜଳପଥ ଦେଇ ଡଙ୍ଗା କିମ୍ବା ଲଞ୍ଚରେ ଚିତ୍ରକୋଣ୍ଡା ଆସି ସେଠାରେ ଗୋଟିଏ ରାତି ବିତାଉଥିଲେ। ତା’ପରଦିନ ଚିତ୍ରକୋଣ୍ଡାରୁ ବସ୍‌ ଯୋଗେ ମାଲକାନଗିରି ଯାଉଥିଲେ। ସେହିପରି ମାଲକାନଗିରିରୁ ଫେରିବା ବେଳେ ପୁଣି ଗୋଟିଏ ରାତି ଚିତ୍ରକୋଣ୍ଡାରେ ବିତାଇ ତା’ପର ଦିନ ଚିତ୍ରକୋଣ୍ଡା ସ୍ପିଲଓ୍ବେ ଲଞ୍ଚଘାଟରୁ ଗ୍ରାମକୁ ଯାଉଥିଲେ। ବସ୍‌ସେବା ଆରମ୍ଭ ନେଇ ଆୟୋଜିତ କାର୍ଯ୍ୟକ୍ରମକୁ ପୀତାମ୍ବର ଖେମୁଡୁ, ହରି ମୋହନ ଖିଲ, ଅମିତ ଅଗ୍ରୱାଲ, ଶିବ ପ୍ରସାଦ ଖରା, ଡମ୍ବରୁ ହରିଜନ, ରବୀନ୍ଦ୍ର ପାଢୀ, ବିଭୁ ପାତ୍ର ପରିଚାଳନା କରିଥିଲେ।