ବଜେଟ ପ୍ରକ୍ରିୟା ଫାର୍ସ ହୋଇଯାଉଛି

ଶୃଙ୍ଖଳିତ ଓ ହିସାବୀ ଜୀବନଯାପନ ପାଇଁ ପରିବାରଟିଏ ବଜେଟ କରିନିଏ। ସମାଜର ଶୃଙ୍ଖଳିତ ବିକାଶ ପାଇଁ ସରକାର ବଜେଟ କରନ୍ତି। ପ୍ରଥମଟି ପ୍ରାୟ ମାନସିକ, କିନ୍ତୁ ଦ୍ୱିତୀୟଟି ଲିଖିତ। ଗଣତାନ୍ତ୍ରିକ ସମାଜରେ ଜଣକର ହୁଇମ୍‌ (ଝୁଙ୍କ୍‌) ଉପରେ ରାଜ୍ୟ ବା ଦେଶ ଚାଲେ ନାହିଁ, ସମ୍ବିଧାନ ଅନୁଯାୟୀ ଯେଉଁ ଶାସନ ଚାଲେ ତହିଁରେ ସରକାରର ୩ଟି ଶାଖା-ଲେଜିସ୍‌ଲେଚର୍‌, ଏକ୍‌ଜିକ୍ୟୁଟିଭ୍‌ ଓ ଜୁଡିସିଆରି- ଭିତରେ ଛକାପଞ୍ଝା (ଚେକ୍‌ସ ଆଣ୍ଡ ବାଲାନସେସ୍‌) ଜରିଆରେ ସୀମା ଭିତରେ ରହନ୍ତି। କିନ୍ତୁ ଆମେ ଯେଉଁ ବିଲାତୀ ‘ସଂସଦୀୟ’ ବ୍ୟବସ୍ଥା ଗ୍ରହଣ କରିଛୁ ତହିଁରେ ଲେଜିସ୍‌ଲେଚର୍‌ର ପ୍ରାଧାନ୍ୟ ବେଶି। ପ୍ରଶାସନ କିପରି ଚାଲିବ ତାହାର ଆଇନ ତିଆରି କରେ ଲେଜିସ୍‌ଲେଚର୍‌, ଯାହାକୁ କଣ୍ଟ୍ରୋଲ କରେ ଏକ୍‌ଜିକ୍ୟୁଟିଭ୍‌ ଶାଖାର ହେଡ୍‌ – ଅର୍ଥାତ୍‌ ମନ୍ତ୍ରିମଣ୍ଡଳ। ତେଣୁ ସାଧାରଣ ଲୋକଙ୍କ ଧାରଣା ଯେ ମନ୍ତ୍ରିମଣ୍ଡଳ ହିଁ ସରକାର, ତାଙ୍କ ଉପରେ ଅଙ୍କୁଶ ନାହିଁ। ଏହି ଧାରଣା ସରକାର-ବ୍ୟବସ୍ଥାକୁ ‘ଗଣ’ତାନ୍ତ୍ରିକ ନ କରି ‘ଦଳ’ତାନ୍ତ୍ରିକ (ଫାସିବାଦୀ) ହେବାରେ ସାହାଯ୍ୟ କରୁଛି। ଶାସକ ଦଳର ସଭ୍ୟମାନେ ସରକାରୀ (ଏକ୍‌ଜିକ୍ୟୁଟିଭ୍‌) ଅଫିସର ଭଳି କାମ କରିବା ଆରମ୍ଭ କଲେଣି, ସରକାରୀ ଦଳର ନେତା ନିଜକୁ ସମ୍ବିଧାନର ଊର୍ଦ୍ଧ୍ୱରେ ଭାବିବା ଆରମ୍ଭ କଲେଣି। ବଜେଟ କ୍ଷେତ୍ରରେ ତାହା ଜଳ ଜଳ ଦିଶୁଛି। ବଜେଟ କରିବା ଭାର ଲେଜିସ୍‌ଲେଚର୍‌ର। ସମ୍ବିଧାନରେ ବଜେଟକୁ ‘ପ୍ରୋସିଡିଓର୍‌ ଇନ୍‌ ଫାଇନାନ୍ସିଆଲ୍‌ ମ୍ୟାଟର୍ସ’ ନାମ ଦେଇ ଧାରା ୧୧୨ରୁ ୧୧୭ରେ ୟୁନିୟନ (କେନ୍ଦ୍ର ସରକାର) ଏବଂ ଧାରା ୨୦୩ରୁ ୨୦୭ରେ ଦି ଷ୍ଟେଟ୍‌ସ (ରାଜ୍ୟ ସରକାରମାନଙ୍କ) କ୍ଷେତ୍ରରେ ସମାନ ପ୍ରକାରର ନିୟମ ବାଢ଼ିଛି। ବଜେଟ ପାଇଁ ଆର୍ଥିକ ବର୍ଷ ଗଣାଯାଏ ଏପ୍ରିଲ ୧ରୁ ପର ବର୍ଷ ମାର୍ଚ୍ଚ ୩୧ ଯାଏ। ନିର୍ବାଚନରେ ଜିତିବା ପରେ ପରେ ଶାସକଦଳ କାମରେ ଲାଗିଯାଏ – କି କି କାମ କରିବ ତାହା ଏକ ପ୍ରସ୍ତାବ ଆକାରରେ ମନ୍ତ୍ରିମଣ୍ଡଳ ପେସ୍‌ କରେ। ମନ୍ତ୍ରିମଣ୍ଡଳର ପ୍ରସ୍ତାବ ଉପରେ ଅର୍ଥ ମନ୍ତ୍ରାଳୟ ବଜେଟ ତିଆରି କରେ। ଏହା ତିନିଟି ପର୍ଯ୍ୟାୟରେ ବିଭକ୍ତ। ମନ୍ତ୍ରିମଣ୍ଡଳ ଯେଉଁ ପ୍ରସ୍ତାବ ଆଣେ ତାହାକୁ ଅର୍ଥ ମନ୍ତ୍ରାଳୟ ଏକ ବାର୍ଷିକ ଆର୍ଥିକ ବିବରଣୀ (ଆନୁଆଲ୍‌ ଫାଇନାନ୍ସିଆଲ୍‌ ଷ୍ଟେଟ୍‌ମେଣ୍ଟ) ରୂପେ ତିଆରି କରେ ଓ ଅର୍ଥମନ୍ତ୍ରୀ ବିଧାନସଭାରେ ପେସ୍‌ କରନ୍ତି। ତାହା ପରେ କି କି କାମ ହେବ ପ୍ରତ୍ୟେକର ବିବରଣୀ ସହ ଖର୍ଚ୍ଚର ଅଟକଳ (ଏଷ୍ଟିମେଟ୍‌) ପେସ୍‌ କରନ୍ତି, ଏଥିରେ କେବଳ ସଂଖ୍ୟାଗୁଡ଼ିଏ ନ ଥାଏ, ବହୁତ ସୂଚନା ଥାଏ। କେଉଁ କେଉଁ ଅଞ୍ଚଳରେ କି କି କାମ ହେବ, କେତେ ଆକାରର ବା ଆୟତନର, କେତେ ମୂଲ୍ୟରେ କାମ ସରିବ, କେତେ ଲାଭ ମିଳିବ, ଲୋକେ କେତେ କ୍ଷତିଗ୍ରସ୍ତ ହେବେ ଓ କେତେ ପରିମାଣରେ କ୍ଷତିପୂରଣ କରାହେବ, ତାହା ଥାଏ। ଏହା ଗୃହୀତ ହୋଇଗଲେ ଅର୍ଥବ୍ୟୟ ବିଲ୍‌ (ଆପ୍ରୋପ୍ରିଏସନ୍‌ ବିଲ୍‌) ଅର୍ଥମନ୍ତ୍ରୀ ଆଣନ୍ତି। ତାହା ଗୃହୀତ ହେଲା ପରେ ବିଲ୍‌ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯାଏ। ତା’ ମିଳିଲା ପରେ ବଜେଟ ଆଇନରେ ପରିଣତ ହୁଏ। ସବୁ ପ୍ରକାରର ପ୍ରଚଳିତ ରୋଜଗାର ଏକତ୍ରିତ ହୋଇ ଗୋଟିଏ ପାଣ୍ଠିରେ ରହେ, ତା ନାଁ କନ୍‌ସୋଲିଡେଟେଡ୍‌ ଫଣ୍ଡ। ତହିଁରୁ ପଇସାଟିଏ ଆଣିବାକୁ ହେଲେ ତାହା ବିଧାନସଭା ଦ୍ୱାରା ଗୃହୀତ ଆପ୍ରୋପ୍ରିଏସନ୍‌ ବିଲ୍‌ରେ ଥିବା ଦରକାର; ତା’ ମାନେ ବିଧାନସଭାର ମଞ୍ଜୁରୀ ବିନା ସରକାର ଖର୍ଚ୍ଚ କରିବା ଅସାମ୍ବିଧାନିକ। ଆପ୍ରୋପ୍ରିଏସନ୍‌ ବିଲ୍‌ରେ ଯେତେ ସାଙ୍କ୍‌ସନ୍‌ ହୋଇଛି ସେଥିଲାଗି କନ୍‌ସୋଲିଡେଟେଡ୍‌ ଫଣ୍ଡରେ ଯଥେଷ୍ଟ ଅର୍ଥ ଥାଇ ନ ପାରେ। ସେଥିଲାଗି ପୁରୁଣା ଟିକସ ବଢ଼ାଇ ଓ ନୂଆ ଟିକସ ଫି’ ଆଦି ବସାଇ ରାଜସ୍ବ ବଢ଼ାଯାଇଥାଏ। ବିଧାନସଭାର ବିନା ଅନୁମୋଦନରେ ପଇସାଟିଏ ବି ନାଗରିକମାନଙ୍କଠାରୁ ଆଦାୟ କରାଯାଇ ପାରିବ ନାହିଁ ବୋଲି ସମ୍ବିଧାନ କହେ। ତେଣୁ ସରକାର ବା ଏକ୍‌ଜିକ୍ୟୁଟିଭ୍‌ ଅର୍ଥମନ୍ତ୍ରୀଙ୍କ ଜରିଆରେ ଫାଇନାନ୍ସ ବିଲ୍‌ ଆଣେ। ଏ ବିଲ୍‌ ପାସ୍‌ ହୋଇଗଲା ପରେ ବଜେଟ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୁଏ। ବିଧାନସଭାର କାର୍ଯ୍ୟାବଳୀରୁ ଓ ମୁଦ୍ରିତ ବଜେଟ ପୁସ୍ତିକାରୁ ସାଧାରଣ ନାଗରିକ ବର୍ଷ ଯାକର ପ୍ରକଳ୍ପ ଓ ପ୍ରତି ପ୍ରକଳ୍ପର ଖର୍ଚ୍ଚ ଓ ଅବଧି ଜାଣେ । ଏବେ ତାହାର ବ୍ୟତିକ୍ରମ ଦେଖାଦେଉଛି। ବିଧାନସଭାର ଆପ୍ରୁଭାଲ୍‌ ନ ନେଇ ସରକାରୀ ତହବିଲ୍‌(କନ୍‌ସୋଲିଡେଟେଡ୍‌ ଫଣ୍ଡ)ରୁ ପଇସା କାଢ଼ିନେଇ ଖର୍ଚ୍ଚ କରିପକାଉଛନ୍ତି, ନଚେତ୍‌ କୌଣସି କାର୍ଯ୍ୟ ହାତକୁ ନେଇ ତା’ ପାଇଁ ଅର୍ଥ ଘୋଷଣା କରିବା ଏବଂ କ୍ୟାବିନେଟରେ ତା’ ପାଇଁ ଅର୍ଥ ମଞ୍ଜୁର ହୋଇଯିବା ସମ୍ଭବ ହୁଅନ୍ତାନି! ଏସବୁ ଅସାମ୍ବିଧାନିକ, ସିଧା କଥାରେ ବେଆଇନ। ଆଇନ ବିରୋଧରେ କାମ କରିବା, ବିଧାନସଭାର ବିନା ଅନୁମୋଦନରେ, କେବଳ ମନ୍ତ୍ରିମଣ୍ଡଳର ପ୍ରସ୍ତାବରେ ଖର୍ଚ୍ଚ କରିଦେବାର ଅର୍ଥ ରାଜକୋଷକୁ ନିଜର ବଟୁଆ ଭଳି ଭାବିବା – ଏ ଭଲ ଉଦାହରଣ ସୃଷ୍ଟି କରୁନାହିଁ।
ସରକାର ଓ ନାଗରିକ (ପ୍ରତିନିଧିମାନଙ୍କ) ମାନଙ୍କ ଭିତରେ ଆସ୍ଥାର ସେତୁ ହେଉଛି ବଜେଟ । ମଝିରେ ମଝିରେ ସରକାର ତାଙ୍କର କାର୍ଯ୍ୟାବଳୀର ସମୀକ୍ଷା କରି ଯଦି ରଣନୀତି (ଷ୍ଟ୍ରାଟେଜିକ୍‌ ପ୍ରାୟରିଟି, ନିଜ ଦଳକୁ ପୁଣି ଥରେ ଶାସନଗାଦିରେ ରଖିବାର ଇଚ୍ଛାରେ) ବଦଳାନ୍ତି, ତାହା ସପ୍ଲିମେଣ୍ଟାରି ବଜେଟ ରୂପେ ପେସ୍‌ ହୁଅନ୍ତା, ଶାସକ ଦଳର ମେଜେରିଟି ଥିବାରୁ ପ୍ରତିନିଧିସଭା ଦ୍ୱାରା ମଞ୍ଜୁର ହୋଇଯାନ୍ତା। ଆମ ରାଜ୍ୟରେ କେଉଁଠି କ’ଣ କରାଗଲେ ଭୋଟର ଖୁସି ହେବେ ସେଠି ତାହା ଘୋଷଣା କରି ଦିନକ ଭିତରେ ଅର୍ଥ ମଞ୍ଜୁର ଓ ଅଳ୍ପ ଦିନରେ କାମ ଆରମ୍ଭ କରାଯାଉଛିା ନାଗରିକମାନଙ୍କୁ ଖୁସିରେ ରଖିବା ସରକାରଙ୍କ କାମ ହେବା ଉଚିତ, କିନ୍ତୁ ସମ୍ବିଧାନର ଖିଲାପ କରି ନୁହେଁି!
ଆମ ରାଜ୍ୟରେ ମନ୍ତ୍ରିମଣ୍ଡଳରେ ନୂଆ ପ୍ରସ୍ତାବଟିଏ ଗୃହୀତ କରାଇନେଲେ ସତେଯେପରି ବିଧାନସଭାର ଆବଶ୍ୟକତା ନାହିଁ ବୋଲି ବିଚାର କରାଯାଉଛି। ବିଧାନସଭାରେ ଲୋକପ୍ରତିନିଧିମାନଙ୍କ ସଭାରେ ଆଲୋଚନା ହେଉନାହିଁ, ଆପ୍ରୋପ୍ରିଏସନ୍‌ ବିଲ୍‌ ପାସ୍‌ ନ ହୋଇ କନ୍‌ସୋଲିଡେଟେଡ୍‌ ଫଣ୍ଡରୁ ଆବଶ୍ୟକ ଅର୍ଥ କାଢ଼ି ନିଆଯାଉଛି, ତା’ର ମଞ୍ଜୁରୀ ପାଇଁ ସପ୍ଲିମେଣ୍ଟାରି ଗ୍ରାଣ୍ଟ ବିଲ୍‌ ଆସୁନାହିଁ । ସବୁ ସରିଗଲା ପରେ ଦିନେ ଦି’ ଦିନ ବିଧାନସଭା ଡାକିଦିଆଯାଉଛି, କ୍ୟାବିନେଟରେ ଯାହା କିଛି ପ୍ରସ୍ତାବ ଆସୁଛି ତାହାର ସଂଖ୍ୟା ୧୦ରୁ ୨୦ ହୋଇଥିଲେ ବି ଏକ ଘଣ୍ଟା ଭିତରେ ସରିଯାଉଛି। ଯୋଜନାର ଉଦ୍ଦେଶ୍ୟ ବୁଝାଇବା ପାଇଁ ନାଁ ନ ଦେଇ ରାଜ୍ୟବାସୀଙ୍କ ଧର୍ମଭୀରୁତାର ସୁଯୋଗ ନେଇ ଧର୍ମସ୍ଥାନରେ ବ୍ୟବହାର ହେଉଥିବା ଶବ୍ଦକୁ ସଂକ୍ଷିପ୍ତୀକରଣରେ ବ୍ୟବହାର କରୁଛନ୍ତି- ଯଥା ପୁରୀର ବିକାଶ ଯୋଜନାର ନାମ ଅବଢ଼ା, କେତେକ ମନ୍ଦିରର ବିକାଶର ନାଁ ପ୍ରସାଦ, ଗ୍ରାମାଞ୍ଚଳରେ ବସ୍‌ସେବାକୁ ଲକ୍ଷ୍ମୀ କହିବା। କନ୍‌ସୋଲିଡେଟେଡ୍‌ ଫଣ୍ଡରେ ବହୁତ ପଇସା ମିଳିଛି ବୋଲି ଆମେ ସାମୟିକ ସୁଖରେ ପଇସା ଲଗାଇବା, ଯାହା ପରେ ପରେ ନଷ୍ଟ ହୋଇଯିବ! ଧର୍ମଭୀରୁ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଯଦି ନିର୍ବାଚନ-ସର୍ବସ୍ବ ହୁଅନ୍ତି, ଧର୍ମସଙ୍ଗତ ଶବ୍ଦଗୁଡ଼ିକୁ ଲଗାଇ ଖର୍ଚ୍ଚର ଅସଲ ଉଦ୍ଦେଶ୍ୟକୁ ଘୋଡ଼ାଇ ଜନଗ୍ରହଣଯୋଗ୍ୟ କରିପକାଇବେ ବୋଲି ମନ୍ତ୍ରିମଣ୍ଡଳ ଆଶା କରୁଥାନ୍ତି, ତାହା ରାଜ୍ୟର ସାମୂହିକ ବିକାଶର ପରିପନ୍ଥୀ ହେବ।

  • ସହଦେବ ସାହୁ
    -sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri