ମିଳିଥିବା ଭଗ୍ନ ସିଂହ ମୂର୍ତ୍ତି ଗଙ୍ଗବଂଶର ହୋଇଥାଇପାରେ

ପୁରୀ ଅଫିସ,୧୭।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ପୁରୀ ଏମାର ମଠ ପରିସର ଖନନ ବେଳେ ଭଗ୍ନ ସିଂହମୂର୍ତ୍ତି ମିଳିବା ଘଟଣା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସ୍‌ଆଇ)ର ଚେତା ପଶିଛି। ମଙ୍ଗଳବାର ଏହି ଖନନ ସ୍ଥଳୀରେ ଏଏସ୍‌ଆଇ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସେଠାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ସିଂହମୂର୍ତ୍ତିର ମାପଚୁପ କରିଛି। ଏଏସ୍‌ଆଇର ଟେକ୍ନିକାଲ୍‌ ଟିମ୍‌ ଏକ ପ୍ରାଚୀନ କାନ୍ଥ ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଛି। ମିଳିଥିବା ସିଂହମୂର୍ତ୍ତିଟି ଗଙ୍ଗ ବଂଶ ରାଜତ୍ୱ ସମୟର ହୋଇଥାଇପାରେ ବୋଲି ଏଏସ୍‌ଆଇ ଅନୁମାନ କରୁଛି। ତେବେ ପ୍ରକୃତ ପକ୍ଷେ ଏସବୁ କେତେ ପୁରାତନ ବା କେଉଁ ସମୟର ତାହା ଜାଣିବା ପାଇଁ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଛି।