ଇଟା ବେଝେଇ ଟ୍ରାକ୍ଟର ଯାଉଥିବା ବେଳେ ଭୁଶୁଡ଼ି ପଡ଼ିଲା ପୋଲ

ନନ୍ଦପୁର,୫ା୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳି ବେଲଗାଁ ପଞ୍ଚାୟତର ସିଡାପୁଟ ଗ୍ରାମ ନିକଟ ପୋଲ ଉପରେ ଶୁକ୍ରବାର ଏକ ଇଟା ବୋଝେଇ ଟ୍ରାକ୍ଟର ଯାଉଥିବା ବେଳେ ହଠାତ୍‌ ପୋଲଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଟ୍ରାକ୍ଟରର ଟ୍ରଲିଟି ପୋଲ ତଳକୁ ଝୁଲି ରହିଥିଲା। ଡ୍ରାଇଭର କୌଶଳ କ୍ରମେ ନିଜକୁ ବଞ୍ଚାଇଥିଲେ। ପୋଲଟି ଦୀର୍ଘଦିନ ହେଲା ବିପଦସଙ୍କୁଳ ଅବସ୍ଥାରେ ରହିଥିଲା। ପ୍ରଶାସନ ପକ୍ଷରୁୁ ଏହାକୁ ବିପଦସଙ୍କୁଳ ପୋଲ ରୂପେ ଘୋଷଣା କରା ନ ଯିବାରୁ ଏହା ଉପରେ ଗାଡ଼ି ଚଳାଚଳ କରୁଥିଲା। ପୋଲ ଉପରେ ୮ଟି ଗ୍ରାମର ଜନସାଧାରଣ ନିର୍ଭର କରୁଥିଲେ। ଏବେ ସେମାନେ ଯୋଗାଯୋଗରୁ ଏକପ୍ରକାର ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ପୋଲର ଦୁର୍ବଳ ଅବସ୍ଥା ନେଇ ପୂର୍ବରୁ ଗ୍ରାମବାସୀ ଏଠାରେ ଏକ ନୂତନ ପୋଲ ନିର୍ମାଣ ପାଇଁ ବ୍ଲକ, ଜିଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କେହି କିଛି ପଦକ୍ଷେପ ନେଇ ନ ଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଠାରେ ଏକ ନୂତନ ପୋଲ ନିର୍ମାଣ କରିବାକୁ ଦାବି ହୋଇଛି।