ଟିକା ନେବାର ୨୪ ଘଣ୍ଟାରେ ଗଲା ନବବଧୂଙ୍କ ଜୀବନ

ଆର.ଉଦୟଗିରି,୨୬ା୬: ଗଜପତି ଜିଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ହରିଶଙ୍କର ପୃଷ୍ଟିଙ୍କ ସ୍ତ୍ରୀ ଜେ.ଲକ୍ଷ୍ମୀ ଆଚାରୀ। ଗତ ୪ ମାସ ତଳେ ବିବାହ କରିଥିଲେ। ଶୁକ୍ରବାର ସ୍ବାମୀ ଓ ସ୍ତ୍ରୀ ମୋହନାରେ ପ୍ରଥମ ଡୋଜ କୋଭିଡ ଟିକା ନେବା ପରେ ଅସୁସ୍ଥ ହୋଇପଡିଥିଲେ ଲକ୍ଷ୍ମୀ। ପୂର୍ବରୁ ଗଣ୍ଠି ବାତ ଏବଂ ନିଦ ହେବା ପାଇଁ ଲକ୍ଷ୍ମୀ ନିୟମିତ ଔଷଧ ସେବନ କରୁଥିଲେ। ଶୁକ୍ରବାର ଟିକା ନେବା ପରେ ରାତିରେ ଲକ୍ଷ୍ମୀ ଔଷଧ ଖାଇଥିଲେ। ଶନିବାର ସକାଳେ ସ୍ତ୍ରୀ ନିଦରୁ ନ ଉଠିବାରୁ ହରିଶଙ୍କର ତାଙ୍କୁ ମୋହନା ମେଡ଼ିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ। ଟିକା ନେବା ଦ୍ୱାରା ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇ ନ ଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ହରିଶଙ୍କରଙ୍କ ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିଲେ ମୃତ୍ୟୁ କାରଣ ଜଣାପଡିବ।