କୋଭିଡ୍‌ ହସ୍ପିଟାଲରେ ପଡ଼ିରହିଲା ମୃତଦେହ

ରାୟଗଡ଼ା ଅଫିସ,୧୮।୪: ରାୟଗଡ଼ା ଜିଲା ଜେକେପୁରସ୍ଥିତ କୋଭିଡ୍‌ ହସ୍ପିଟାଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲରେ ଅସ୍ଥାୟୀଭାବେ ନିୟୋଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳି ନ ଥିବାରୁ ସେମାନେ ରବିବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ କରୋନାରେ ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ମେଡିକାଲ ପରିସରରେ ଦୀର୍ଘ ସମୟ ଧରି ପଡ଼ି ରହିଥିଲା। ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ପୌର କାର୍ଯ୍ୟାଳୟର କର୍ମଚାରୀ ମୃତଦେହ ଉଠାଇଥିଲେ। ପ୍ରଶାସନିକ ଉଦାସୀନତା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ସିଡିଏମ୍‌ଓ ଆର୍ତ୍ତବନ୍ଧୁ ନାୟକ କହିଛନ୍ତି, କର୍ମଚାରୀଙ୍କ ସମସ୍ୟା ନେଇ ଆଲୋଚନା ହୋଇଛି। ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି। ସେହିପରି ସୋମବାର ଅସ୍ଥାୟୀ କର୍ମଚାରୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା କହିଛନ୍ତି।