ତିହିଡ଼ି,୨୯ା୫(କାଳନ୍ଦୀ ବେହେରା/ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବୋଡ଼କ ପଞ୍ଚାୟତର ରେବ ନଈକୂଳରୁ ଶୁକ୍ରବାର ସକାଳେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମହିଳାଙ୍କ ମୁଣ୍ଡରେ ଆଘାତର ଚିହ୍ନ ଥିବାରୁ କେହି ଦୁର୍ବୁତ୍ତ ତାଙ୍କୁ ହତ୍ୟାକରି ଫିଙ୍ଗି ଦେଇ ଯାଇଥିବା ସନ୍ଦେହ କରାଯାଉଛି।
ଘଟଣାରୁ ପ୍ରକାଶ ଯେ, ରେବ ନଈକୂଳରେ ମହିଳାଙ୍କ ମୃତଦେହ ପଡ଼ିଥିବା କେତେକ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପରେ ସେମାନେ ଏ ସମ୍ପର୍କରେ ତିହିଡ଼ି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଆଇଆଇସି ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ସହ ମୃତଦେହ ଜବତ କରିଛନ୍ତି। ତେବେ ମହିଳାଙ୍କ ପରିଚୟ ଜଣାପଡ଼ି ନ ଥିବାରୁ ଆଇଆଇସି ନାୟକ ତାଙ୍କ ମୃତଦେହ ଫଟୋ ଶେୟାର କରିଛନ୍ତି। ମହିଳାଙ୍କୁ କେହି ଚିହ୍ନିଥିଲେ ତୁରନ୍ତ ଥାନାକୁ ଖବର ଦେବାକୁ ସେ ଅନୁରୋଧ କରିଛନ୍ତି।