ଉଦଳା,୨୧ା୪(ସନ୍ତୋଷ କୁମାର ବାଚ୍ଛିନୀ): ରାଜସ୍ଥାନୀ ଯୁବକ ହେଲେ ବାହା ହୋଇଥିଲେ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳର ଝିଅକୁ। ଆଉ ବାହାଘର ପରେ ଉଦଳା ଥାନା କୋଚିଳାଡିହା କଇଁଫୁଲିଆ ଗ୍ରାମରେ ସ୍ତ୍ରୀଙ୍କ ସହ ରହୁଥିଲେ। ମଙ୍ଗଳବାର ସକାଳୁ ଯୁବକଙ୍କ ଝୁଲନ୍ତା ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଆଜି ସକାଳେ ଗ୍ରାମବାସୀ ବିଲ ଭିତରେ ଥିବା ଏକ ଗଛରେ ରାଜସ୍ଥାନୀ ଯୁବକ ରଘୁବୀର ଗୁଜରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ପୋଲିସକୁ ଖବର ଦେବା ପରେ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।
ମୃତକ ରଘୁବୀର ତାଙ୍କ ସ୍ତ୍ରୀ ପାନ ହାଁସଦା ସହିତ କଇଁଫୁଲିଆ ଗ୍ରାମରେ ୫ ବର୍ଷରୁ ଅଧିକ ହେବ ରହୁଥିଲେ। ତେବେ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ପାରିପାର୍ଶିକ ପରିସ୍ଥିତିରୁ ପୂରା ଘଟଣାକୁ ନେଇ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ପୋଲିସ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ତଦନ୍ତ ପରେ ପୂରା ଘଟଣା ସ୍ପଷ୍ଟ ହେବ ବୋଲି ଜଣାଯାଇଛି।