୩ ସାଙ୍ଗଙ୍କ ମୃତଦେହ ମିଳିଲା

କଟକ ଅଫିସ,୨୭।୧୧: କଟକ ମହାନଦୀର ଭଦିମୂଳ ଘାଟରେ ବୁଡ଼ି ଯାଇଥିବା ୪ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗୁରୁବାର ରାତିରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଶୁକ୍ରବାର ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ କଟକ ଚାଉଳିଆଗଞ୍ଜ ଥାନା ଅଧୀନ କୈବଲ୍ୟ ବିହାରର ଆଜିଙ୍କ୍ୟା ବାହାଳିଆ(୧୩), ପୋତାପୋଖରୀ ଅଞ୍ଚଳର ଚନ୍ଦନ ବେହେରା(୧୪), ଓମ୍‌ପ୍ରକାଶ ବେହେରା(୧୩) ଓ ଆଶୁତୋଷ ସେଠୀ(୧୨)। ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ସମସ୍ତ ମୃତଦେହ ବ୍ୟବଚ୍ଛେଦ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ଚାଉଳିଆଗଞ୍ଜ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୨୬/୨୧) ରୁଜୁ କରି ତଦନ୍ତ ଚଳାଇଛି। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଉପରୋକ୍ତ ୪ ଛାତ୍ର ସାଇକେଲ ଯୋଗେ ସ୍କୁଲ ଯାଇ ଘରକୁ ଫେରିଥିଲେ। ପରେ ସେମାନେ ଡକାଡ଼କି ହୋଇ ଖେଳିବାକୁ ଭଦିମୂଳ ଘାଟକୁ ଯାଇଥିଲେ। ଏହାପରେ ମହାନଦୀରେ ଗାଧୋଇବାବେଳେ ଚୋରାବାଲିରେ ବୁଡ଼ି ଯାଇଥିଲେ। ଅପରପକ୍ଷେ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ମହାନଦୀ ଘାଟ ପାଖରେ ସାଇକେଲ୍‌ ଥିବା ଦେଖିବାକୁ ପାଇଥିଲେ। ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀ ପହଞ୍ଚି ନଦୀରେ ଖୋଜାଖୋଜି କରିବା ପରେ ଓମ୍‌ ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଚିକିତ୍ସା ଲାଗି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ରାତି ପର୍ଯ୍ୟନ୍ତ ଖୋଜାଖୋଜି ଜାରି ରହିଥିଲା। ବହୁ ଖୋଜାଖୋଜି ପରେ ଶୁକ୍ରବାର ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।