ମନ୍ତ୍ରୀ, ବିଧାୟକଙ୍କ ସମେତ ଭାଜପା ରାଜ୍ୟ ସଭାପତିଙ୍କୁ କରୋନା

ଭୁବନେଶ୍ୱର ୧୫।୯(ବ୍ୟୁରୋ):ରାଜ୍ୟର ଏକାଧିକ ନେତା ଓ ମନ୍ତ୍ରୀ ବର୍ତ୍ତମାନ କରୋନା ସଂକ୍ରମଣର ଶୀକାର ହେଉଛନ୍ତି। ଲଗାତର ଭାବେ ଏହିଭଳି ଖବର ସାମ୍ନାକୁ ଆସୁଥିବା ବେଳେ ସୋମବାର ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଦାଶ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଏବଂ ତାଙ୍କ ସ୍ତ୍ରୀ ବର୍ତ୍ତମାନ ସୁସ୍ଥ ଅଛନ୍ତି। ତାଙ୍କ ସଂସ୍ପର୍ଶରେ ସାତ ଦିନ ମଧ୍ୟରେ ଯେଉଁମାନେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ସେହିପରି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଟେଷ୍ଟ ରିପୋର୍ଟ ପାଇବା ପରେ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି, ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଗତ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସଙ୍ଗରୋଧରେ ରହିବା ସହ କରୋନା ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଛନ୍ତି। ସମାନଭାବେ ବିଧାୟକ ସୁଧୀର ସାମଲ ଓ ପ୍ରଦୀପ ମହାରଥୀଙ୍କ ରିପୋର୍ଟ ପଜିଟିଭ ବାହାରିଛି। ତାଙ୍କ ରିପୋର୍ଟ ସମ୍ପର୍କରେ ସେ ସୂଚନା ଦେବା ସହିତ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସମସ୍ତଙ୍କୁ ପରୀକ୍ଷା କରାଇ ନେବା ଲାଗି ଅନୁରୋଧ କରିଛନ୍ତି।