ବିଜେଡି ରାଜ୍ୟ କାର୍ଯ୍ୟାଳୟ ରୂପ ବଦଳିବ

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପ୍ରଥମ ଥର ଲାଗି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ। ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନୂଆ ରୂପ ଦେବାଲାଗି ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାଯୀ ରଥଯାତ୍ରା ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶୁଭ ଦେବେ ବୋଲି ସୂଚନା ମିଳିଛି। ସେହି ଅନୁଯାୟୀ ଦଳୀୟ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ସଜ୍ଜାଯାଇଛି। ସକାଳ ୯ଟା ୩୦ରେ ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚି ଭିତ୍ତିପ୍ରସ୍ତର ଦେବାକୁ ଥିବାବେଳେ ବହୁତ କମ୍‌ ସଦସ୍ୟଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯିବ। କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ବିଶେଷ ଗହଳି କରାଯିବ ନାହିଁ ବୋଲି ଜଣାପଡିଛି। ଗତବର୍ଷ ଅର୍ଥାତ୍‌ ୨୦୨୦ ମାର୍ଚ୍ଚ ୫ ତାରିଖ ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ଶେଷଥର ଲାଗି ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ। ଏହାପରଠାରୁ ସେ ବିଭିନ୍ନ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଆସୁଛନ୍ତି। ଏପରି ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ଗତ ବର୍ଷକ ମଧ୍ୟରେ ହୋଇଥିବା ଉପନିର୍ବାଚନ, ଦଳୀୟ, ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଯୋଗଦେଇ ଆସୁଛନ୍ତି। ହେଲେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଗହଳି ନ ହେବା ଲାଗି ହାତଗଣତି କିଛି ଟାଣୁଆ ନେତାଙ୍କୁ ଦେଖିବାକୁ ମିଳିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।