କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଭେଟିଲା ବିଜେଡି ସଂସଦୀୟ ଟିମ୍‌

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଧାନ କିଣାକୁ ନେଇ ବିଧାନସଭାରେ ଗତ ୩ ଦିନ ଧରି ଅଚଳାବସ୍ଥା ଜାରି ରହିଥିବା ବେଳେ ସୋମବାର ବିଜେଡି ସଂସଦୀୟ ଦଳର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ସାକ୍ଷାତ୍‌ କରିଛନ୍ତି। ଧାନ ଉଠାଇବା ଓ ବକେୟା ଅର୍ଥ ଦେବାକୁ ଏହି ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି। ଏହି ଦାବିକୁ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହ ଓଡ଼ିଶାର ଦାବିକୁ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଗୋଏଲ ପ୍ରତିନିଧିମଣ୍ଡଳୀଙ୍କୁ ଆଶ୍ୱାସନା ଦେଇଛନ୍ତି।
କୋଭିଡ୍‌-୧୯ ମହାମାରୀ ସମୟରେ ଆର୍ଥିକ ଅବସ୍ଥାକୁ ପୁନର୍ଜୀବିତ କରିବା କ୍ଷେତ୍ରରେ କୃଷି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି କ୍ଷେତ୍ରକୁ ଆର୍ଥିକ ଦୁର୍ଗତିରୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗର ଆବଶ୍ୟକତା ରହିଛି। ଧାନ ସଂଗ୍ରହ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା। ଲକ୍ଷ ଲକ୍ଷ ଚାଷୀଙ୍କଠାରୁ ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଜରିଆରେ ଧାନ କ୍ରୟ କରୁଛନ୍ତି। ତେଣୁ ଚାଷୀମାନଙ୍କୁ ସେମାନଙ୍କର ଅର୍ଥ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହ ପ୍ରଦାନ କରାଯାଉଛି। ବର୍ତ୍ତମାନ ଓଡ଼ିଶାରେ ଖରିଫ ଧାନ ସଂଗ୍ରହ ଜୋରସୋରରେ ଚାଲିଛି। ଓଡ଼ିଶା ଯୋଗାଣ ନିଗମ ଧାନ ସଂଗ୍ରହ କରିବାକୁ ୧୯ ହଜାର କୋଟି ଟଙ୍କାର ଋଣ କରିଛି। ଏହି ସଂସ୍ଥା ପାଇବାକୁ ଥିବା ପ୍ରୋଭିଜନାଲ ଓ ଆଡଭାନ୍ସଡ ସବ୍‌ସିଡି ୫,୬୧୬ କୋଟି ଟଙ୍କା ବକେୟା ରହିଛି। ସବ୍‌ସିଡି ଟଙ୍କା ମିଳୁ ନ ଥିବାରୁ ନିଗମ ଉପରେ ଋଣ ଓ ସୁଧ ବୋଝ ବଢି ଚାଲିଥିବାବେଳେ ନିଗମକୁ ୧୭୨୧.୧୬ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି। ସେହିପରି ରାଜ୍ୟର ବଳକା ଉଷୁନା ଚାଉଳକୁ ନେବାକୁ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ରାଜି ହେଉ ନାହିଁ। ଏଫ୍‌ସିଆଇ ୧୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ନେବାକୁ ଥିବା ବେଳେ ଆହୁରି ୧୩ ଲକ୍ଷ ମେଟ୍ରିକ୍‌ ଟନ୍‌ ବଳକା ରହୁଛି। ବଳକା ଚାଉଳର ମୂଲ୍ୟ ପ୍ରାୟ ୪୧୬୦ କୋଟି ଟଙ୍କା ହେବ। ତୁରନ୍ତ ସବ୍‌ସିଡି ଅର୍ଥ ପ୍ରଦାନ କରିବା ସହ ବଳକା ଚାଉଳ ଉଠାଇବାକୁ ପ୍ରତିନିଧିମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଗୋଏଲଙ୍କ ନିକଟରେ ଦାବି କରିଛନ୍ତି।