ଦିଲ୍ଲୀ ଯାଇଥିବା ବିଜେଡି ନେତା ମୋତେ ଭେଟି ନାହାନ୍ତି କହିଲେ…

ଭୁବନେଶ୍ୱର,୯।୩: ରାଜ୍ୟରେ ବିଜେଡି-ଭାଜପା  ମଧ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚାଜୋର ଧରିଥିବା ବେଳେ  ଭାଜପା ଏନେଇ କୌଣସି ଆଲୋଚନା ହୋଇ ନ ଥିବା କହୁଛି। ଭାଜପା ସଭାପତି ମନମୋହନ  ସାମଲଙ୍କ ପରେ ସମାନ କଥା କହିଛନ୍ତି ଭାଜପା ରାଜ୍ୟ ଭାଜପା ନିର୍ବାଚନ ପ୍ରଭାରୀ ବିଜୟ ପାଲ୍‌ ସିଂ ତୋମର । ସେ ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇ ନ ଥିବା  ଦୋହରାଇଛନ୍ତି।
ଏପର୍ଯ୍ୟନ୍ତ ସେଭଳି କୌଣସି ଆଲୋଚନା ହୋଇ ନାହିଁ।  ଆମେ ରାଜ୍ୟର ସବୁ ସିଟ୍‌ରେ ଲଢ଼ିବୁ । ଏନେଇ ଆମେ ପ୍ରସ୍ତୁତି ଜାରି ରଖିଛୁ। ବିଧାନସଭାରେ ୮୦ରୁ ଅଧିକ ସିଟ୍‌  ପାଇ ସରକାର ଗଢ଼ିବୁ । ଲୋକ ସଭାରେ ୧୬ରୁ ଅଧିକ ସିଟ୍‌ରେ ବିଜୟୀ ହେବୁ। ଦିଲ୍ଲୀ ଯାଇଥିବା  ଦୁଇ ବିଜେଡି ନେତାଙ୍କ ସମ୍ପର୍କରେ ପଚାରିବାରୁ ମୋତେ କେହି ଭେଟି ନ ଥିବା ସେ କହିଛନ୍ତି। ମେଣ୍ଟ କଥା ଯିଏ କହୁଛି ତାକୁ ପଚାର ବୋଲି କହିଛନ୍ତି ତୋମର।
ଶୁକ୍ରବାର  ଦିଲ୍ଲୀରୁ ଫେରି ଗଣମାଧ୍ୟମ ଆଗରେ ବଡ ବୟାନ ରଖିଥିଲେ ମନମୋହନ ସାମଲ। ଦିଲ୍ଲୀ ଗସ୍ତ ସମୟରେ ଓଡ଼ିଶାରେ ମେଣ୍ଟ ହେବା ନେଇ କୌଣସି ଆଲୋଚନା ହୋଇ ନ ଥିବା ସେ କହିଥିଲେ।
ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ। କେନ୍ଦ୍ରରେ ଏବଂ ରାଜ୍ୟରେ ଭାଜପା କିପରି ସରକାର ଗଠନ କରିବ ସେନେଇ ଆଲୋଚନା ହୋଇଥିଲା।