ହିଂସାରୁ ହମାସ୍‌ର ଜନ୍ମ

ଇସ୍ରାଏଲ ସୀମା ମଧ୍ୟରେ ହମାସ୍‌ର ଘୃଣ୍ୟ ତଥା କ୍ରୂରତାପୂର୍ଣ୍ଣ ଆକ୍ରମଣକୁ ସମଗ୍ର ବିଶ୍ୱ ନିନ୍ଦା କରିଛି। ଯଦି ଏହା ଏକ ଯୁଦ୍ଧ ହୁଏ ଏବଂ ଉଭୟ ପକ୍ଷ ଏଥିରେ ସହମତ ହୁଅନ୍ତି, ତେବେ ସାଧାରଣ ନାଗରିକଙ୍କ ଉପରେ ହମାସ୍‌ର ଯୋଜନାବଦ୍ଧ ଆକ୍ରମଣ ଏକ ପ୍ରମୁଖ ଯୁଦ୍ଧ ଅପରାଧ ବୋଲି ଗଣାଯିବ। ଇସ୍ରାଏଲ ଏବଂ ଗାଜାରେ ବର୍ତ୍ତମାନ ଯାହା ଘଟୁଛି ସେଥିରୁ ଶିକ୍ଷା ମିଳୁଛି ଯେ, ହିଂସାରୁ ହିଁ ଅଧିକ ହିଂସା ଜନ୍ମ ନିଏ । ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଚାଲିଥିବା ଦୁଃଖଦ ବିବାଦକୁ ଏଡ଼ାଇବାର ଶେଷ ସୁଯୋଗ ଗୋଟିଏ ହତ୍ୟା ଦ୍ୱାରା ନଷ୍ଟ ହୋଇଯାଇଥିଲା। ୧୯୯୫ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟିତ୍‌ଝାକ୍‌ ରବିନ୍‌ଙ୍କ ହତ୍ୟା ଥିଲା ଏହାର କାରଣ। ହତ୍ୟାକାରୀ ଜଣେ ପାଲେଷ୍ଟାଇନ ସନ୍ତ୍ରାସବାଦୀ ନ ଥିଲେ, ବରଂ ସେ ଥିଲେ ଓସ୍‌ଲୋ ଚୁକ୍ତିନାମାକୁ ବିରୋଧ କରୁଥିବା ଜଣେ ଇସ୍ରାଏଲୀ ଚରମପନ୍ଥୀ। ଓସ୍‌ଲୋ ଚୁକ୍ତିନାମା ଦ୍ୱାରା ରବିନ୍‌ ‘ଶାନ୍ତି ପାଇଁ ଦେଶ’ ଚୁକ୍ତି ଚାହଁିଥିଲେ, ଯାହା ଇସ୍ରାଏଲ ଚରମପନ୍ଥୀମାନଙ୍କୁ ଅସନ୍ତୁଷ୍ଟ କରିଥିଲା। କାରଣ ସେମାନଙ୍କ ମତରେ ପବିତ୍ର ଭୂମିରେ ଇହୁଦୀ ସାର୍ବଭୌମତ୍ୱ ସହ କୌଣସି ବୁଝାମଣା ହୋଇପାରିବ ନାହିଁ। ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଶତ୍ରୁତା ସମାପ୍ତ କରିବା ଆଶା ରଖି ରବିନ୍‌ ଏକ ରାଲି ଆୟୋଜନ କରିଥିଲେ। ଏଥିରେ ୧ ଲକ୍ଷରୁ ଅଧିକ ଇସ୍ରାଏଲୀ ଯୋଗଦେଇଥିଲେ। ସେହି ସମୟରେ, ଶାନ୍ତିର ଆଶା ବାସ୍ତବ ମନେହେଉଥିଲା । କିନ୍ତୁ ଶାନ୍ତି ରାଲିର ଶେଷରେ ରବିନ୍‌ଙ୍କୁ ହତ୍ୟା କରାଯାଇଥିଲା।
ଏହି ହତ୍ୟାକାଣ୍ଡରୁ ବଡ଼ ଲାଭ ଉଠାଇଥିଲେ ଇସ୍ରାଏଲ ଜାତୀୟତାବାଦୀମାନେ। ସର୍ବୋପରି ଦକ୍ଷିଣପନ୍ଥୀ ଲିକୁଡ୍‌ ପାର୍ଟିର ନେତା ବେଞ୍ଜାମିନ ନେତାନ୍ୟାହୁ ସବୁଠୁ ଅଧିକ ଲାଭ ପାଇଥିଲେ। ନେତାନ୍ୟାହୁ ଓସ୍‌ଲୋ ଚୁକ୍ତିନାମାକୁ ପ୍ରତ୍ୟାଖ୍ୟାନ କରିଥିଲେ, କାରଣ ସେଥିରେ ୧୯୬୭ରେ ୬ ଦିନବ୍ୟାପୀ ଯୁଦ୍ଧ ପରେ ଇସ୍ରାଏଲ ଦଖଲ କରିଥିବା ଅଞ୍ଚଳରୁ ପ୍ରତ୍ୟାହାର କରିବା ଆବଶ୍ୟକ ଥିଲା। ରବିନ୍‌ଙ୍କ ହତ୍ୟା ପର ବର୍ଷଗୁଡ଼ିକରେ ବିଶେଷକରି ୨୦୦୦ ରେ କ୍ୟାମ୍ପ ଡେଭିଡ୍‌ଠାରେ ବୁଝାମଣାରେ ବିଫଳ ହେବା ପରେ ଦକ୍ଷିିଣପନ୍ଥୀ ଉଗ୍ରବାଦୀମାନେ ଇସ୍ରାଏଲରେ ଅଧିକ ଶକ୍ତିଶାଳୀ ହୋଇଥିଲେ ଏବଂ ଅଧିକୃତ ଅଞ୍ଚଳ ପାଲେଷ୍ଟାଇନ୍‌ର ଅଂଶ ହେବା ଆଶା ମଉଳି ଯାଇଥିଲା। ଠିକ୍‌ ସେହି ସମୟରେ ପାଲେଷ୍ଟାଇନ୍‌ ନେତା ୟାସେର ଆରାଫତ୍‌ଙ୍କ ଧର୍ମନିରପେକ୍ଷ ଫତାହ ଆନ୍ଦୋଳନ ଏଥିରେ ବିଫଳ ହେବା ପରେ ଇସ୍‌ଲାମୀୟ ଉଗ୍ରବାଦୀ ହମାସ୍‌ ନିଜକୁ ଦୃଢ଼ କରିଥିଲା ଓ ଇସ୍ରାଏଲୀୟମାନଙ୍କୁ ହତ୍ୟା କରିବାକୁ ଉଚିତ ମଣିଥିଲା। ୨୦୦୭ରୁ ଗାଜାକୁ ନିୟନ୍ତ୍ରଣରେ ରଖି ସେଠାରୁ ହମାସ୍‌ ତାହାର ପ୍ରଭାବ ବଢ଼ାଇବା ସହ ଇସ୍ରାଏଲ ଅଧିକୃତ ଓ୍ବେଷ୍ଟବ୍ୟାଙ୍କରେ ତାହାର ହିଂସା ଜାରି ରଖିଛି। ଓ୍ବେଷ୍ଟବ୍ୟାଙ୍କରେ ଫତାହ ନିୟନ୍ତ୍ରିତ ପାଲେଷ୍ଟିନିଆନ ଅଥରିଟି (ପିଏ) ନାମକୁ ମାତ୍ର ଦାୟିତ୍ୱରେ ରହିଛି ଏବଂ ସେଠାରେ ବହୁ ସଂଖ୍ୟାରେ ଇସ୍ରାଏଲୀ ନେତାନ୍ୟାହ୍ୟୁଙ୍କ ଦମନକାରୀ ପଦକ୍ଷେପକୁ ସମର୍ଥନ କରନ୍ତି। ଓ୍ବେଷ୍ଟ ବ୍ୟାଙ୍କରେ ଇହୁଦୀ ବସତିଗୁଡ଼ିକର ନିରନ୍ତର ବିସ୍ତାରକୁ ବନ୍ଦ କରିବାରେ ପିଏ ଅସମର୍ଥ ହେବା କାରଣରୁ ଉଗ୍ରବାଦ ଏବଂ ହିଂସା ଜାରି ରହିଛି। ନେତାନ୍ୟାହୁ ବର୍ତ୍ତମାନ ଇସ୍ରାଏଲ ଇତିହାସରେ ସବୁଠାରୁ ଅଧିକ ଜାତୀୟତାବାଦୀ ସରକାରର ନେତୃତ୍ୱ ନେଉଛନ୍ତି, ଯେଉଁ ସରକାରରେ ଅର୍ଥମନ୍ତ୍ରୀ ବେଜାଲେଲ ସ୍ମୋଟ୍ରିଚ ଅଛନ୍ତି, ଯାହାଙ୍କ ଦାୟିତ୍ୱରେ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କର ଏକ ବଡ଼ ଅଂଶ ଅନ୍ତର୍ଭୁକ୍ତ। ସ୍ମୋଟ୍ରିଚ ବାରମ୍ବାର ପାଲେଷ୍ଟିନୀୟମାନଙ୍କ ପ୍ରତି ହିଂସା ସୃଷ୍ଟି କରିଆସିଛନ୍ତି।
ଚଳିତ ବର୍ଷ ଫେବୃୟାରୀରେ ଜଣେ ପାଲେଷ୍ଟିନୀୟ ୨ଜଣ ଇସ୍ରାଏଲୀ ବାସିନ୍ଦାଙ୍କୁ ହତ୍ୟା କରିବା ପରେ, ଶତାଧିକ ଇସ୍ରାଏଲୀ ପାଲେଷ୍ଟାଇନ୍‌ର ଏକ ଗାଁ ହୁୱାରାରେ ହିଂସାକାଣ୍ଡ ଘଟାଇଥିଲେ। ଇସ୍ରାଏଲୀୟମାନେ ହୁୱାରାରେ ନିଆଁ ଲଗାଇଦେଲେ, ଯେଉଁଥିରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ଘଟିିବା ସହ ଅନେକେ ଆହତ ହୋଇଥିଲେ। ରୁଷିଆରେ ଇହୁଦୀମାନଙ୍କୁ ହତ୍ୟା (କୋସାକ ପୋଗ୍ରୋମ) କରାଯାଇଥିବାବେଳେ ପୋଲିସ ଯେଭଳି ନୀରବଦ୍ରଷ୍ଟା ସାଜିଥିଲା ସେହିଭଳି ଇସ୍ରାଏଲ ପୋଲିସ ହୁଓ୍ବାରା ବାସିନ୍ଦାଙ୍କୁ ସୁରକ୍ଷା ଦେଇ ନ ଥିଲା କିମ୍ବା ଅପରାଧୀମାନଙ୍କୁ ଗିରଫ କରି ନ ଥିଲା। ଏବେ ହମାସ୍‌ ଉଗ୍ରବାଦୀମାନେ ଯେପରି ଇସ୍ରାଏଲର ୧୦୦୦ରୁ ଊର୍ଦ୍ଧ୍ୱ ନିରୀହ ନାଗରିକଙ୍କୁ ହତ୍ୟା କରିଛନ୍ତି ସେଥିପାଇଁ ସେମାନଙ୍କୁ କ୍ଷମା ନାହିଁ। ଏମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ରହିଛନ୍ତି। ଭୟଙ୍କର ଭିଡିଓରେ ଦର୍ଶାଯାଇଛି ଯେ ହମାସ୍‌ ବନ୍ଧୁକଧାରୀମାନେ ଏକ ସଙ୍ଗୀତ ମହୋତ୍ସବରେ ନିର୍ଦ୍ଦୟ ଭାବେ ଯୁବକମାନଙ୍କୁ ଗୁଳି ଚଳାଇଥିଲେ। ଜନସଂଖ୍ୟାର ଅନୁପାତକୁ ଯଦି ଦେଖାଯାଏ, ତେବେ ଏହି ଆକ୍ରମଣ ୧୧ ସେପ୍ଟେମ୍ବର ୨୦୦୧ରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଏବଂ ପେଣ୍ଟାଗନ ଉପରେ ଅଲ-କାଏଦାର ଆକ୍ରମଣର ୧୦ଗୁଣ ଲୋକଙ୍କୁ ହତ୍ୟା କରଛି।
ଯେତେବେଳେ ହମାସ୍‌ ଇସ୍ରାଏଲ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରେ, ସେତେବେଳେ ଜାଣେ ଯେ ଏହାକୁ କେନ୍ଦ୍ରକରି ଗାଜାରେ ଇସ୍ରାଏଲ ପ୍ରତି ଆକ୍ରମଣ କରିବ, ଯେଉଁଥିରେ ନିଶ୍ଚିତ ଭାବେ ଅନେକ ସାଧାରଣ ନାଗରିକଙ୍କ ଜୀବନ ଯିବ ଓ ଆହତ ହେବେ। ହମାସ୍‌ ଏହାର ସାମରିକ ସ୍ଥାନଗୁଡିକୁ ଆବାସିକ ଅଞ୍ଚଳରେ ସ୍ଥାପନ କରିଛି। ଇସ୍ରାଏଲ ପ୍ରତି ଅକ୍ରମଣରେ ସଂଯମ ରଖିବ ଏବଂ ତା’ ଆକ୍ରମଣକୁ ଅନ୍ତର୍ଜାତୀୟ ସ୍ତରରେ କମ୍‌ ସମର୍ଥନ ମିଳିବ ବୋଲି ଆଶା ରଖି ହମାସ୍‌ ଏଭଳି କୌଶଳ ଆପଣାଇଛି। ଏବେ ହମାସ୍‌ ପାଖାପାଖି ୧୫୦ ଜଣଙ୍କୁ ପଣବନ୍ଦୀ କରି ରଖିଛି ଏବଂ କହିଛି, ବିନା ସତର୍କ ସୂଚନାରେ ଯଦି ଇସ୍ରାଏଲ ଗାଜାର କୌଣସି ଘର ଉପରେ ବୋମା ପକାଏ ତେବେ ପ୍ରତି ଥର ଜଣେ ପଣବନ୍ଦୀଙ୍କୁ ହତ୍ୟା କରିବ। ହମାସ୍‌ର ନେତାମାନେ ମନେରଖିବା ଉଚିତ ଯେ, ୨୦୧୧ରେ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ଇସ୍ରାଏଲର ଗିଲାଦ ଶାଲିତ ନାମକ ସୈନ୍ୟଙ୍କ ମୁକ୍ତି ବଦଳରେ ୧୦୦୦ରୁ ଅଧିକ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବାକୁ ଇଚ୍ଛୁକ ଥିଲେ, ଯେଉଁମାନଙ୍କ ମଧ୍ୟରେ କେତେଜଣ ଆତଙ୍କବାଦୀ ବି ରହିଥିଲେ। ସେହି ଦୃଷ୍ଟିରୁ ସେମାନେ ଭାବୁଥିବେ ଯେ, ଇସ୍ରାଏଲ ଏହାର ସାମରିକ ଲକ୍ଷ୍ୟ ହାସଲ କରିବା ପାଇଁ ବନ୍ଧକମାନଙ୍କ ଜୀବନ ଯିବାକୁ ଦେବ ନାହିଁ। ଯଦି ଏଭଳି ଘଟିବ ବୋଲି ହମାସ୍‌ ନେତାମାନେ ବିଚାର କରୁଥାଆନ୍ତି , ତେବେ ସେମାନେ ଭୁଲ୍‌ କରିଛନ୍ତି ବୋଲି ଶେଷକୁ ଜାଣିବେ। ସାମରିକ ଶକ୍ତି ଭାବେ ଉଭା ହୋଇଥିବା ହମାସ୍‌କୁ ଇସ୍ରାଏଲ ହଟାଇପାରିବ କି ନାହିଁ ତାହା ସମୟ କହିବ। କିନ୍ତୁ ଏହା ସ୍ପଷ୍ଟ ଯେ, ସେହି ଲକ୍ଷ୍ୟ ହାସଲ କରିବାକୁ ଯୁଦ୍ଧରେ ଇସ୍ରାଏଲ ଅନେକ ସୈନିକ ଏବଂ ପଣବନ୍ଦୀଙ୍କ ଜୀବନ ହରାଇବାକୁ ପ୍ରସ୍ତୁତ ରହିବାକୁ ହେବ। ଇସ୍ରାଏଲ ଗାଜାର ବହୁ ଶିଶୁଙ୍କ ସମେତ ୨ ନିୟୁତ ନାଗରିକଙ୍କୁ ବିଦ୍ୟୁତ୍‌, ଇନ୍ଧନ, ଖାଦ୍ୟ ଏବଂ ପାଣି ବଣ୍ଟନ କରିବା ଲାଗି ଯାହା ଘୋଷଣା କରିଛି ତାହା ଜାଣିବା କଷ୍ଟକର। ଏହା ନିଶ୍ଚିତ ଯେ ହମାସ୍‌ର ନିର୍ଦ୍ଦୟ ଅପରାଧ ପିଲାମାନଙ୍କୁ ଭୋକରେ ରଖିବା ପାଇଁ ଇସ୍ରାଏଲକୁ ଅଧିକାର ଦେଇ ନାହିଁ।
ବିଶ୍ୱର ବିଭିନ୍ନ ଦେଶର ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିରେ, ନୈତିକ ଓ ରାଜନୈତିକ ଦୃଷ୍ଟିକୋଣରୁ ପାଲେଷ୍ଟାଇନ୍‌ର ସ୍ବାଧୀନତା ଏବଂ ଦେଶ ମାନ୍ୟତା ଉଦ୍ଦେଶ୍ୟର ଗୁରୁତ୍ୱ ରହିଆସିଛି। କିନ୍ତୁ ବର୍ତ୍ତମାନ ତାହା ଉପରେ ଭୟଙ୍କର ହତ୍ୟା ଏବଂ ଅପହରଣ ଦାଗ ଲାଗିଯାଇଛି। ସେଗୁଡ଼ିକ ମଧ୍ୟରୁ ଅନେକ ଭିଡିଓରେ କଏଦ ହୋଇଛି। ବିଡ଼ମ୍ବନାର ବିଷୟ, ଯଦି ପାଲେଷ୍ଟିନୀୟମାନେ ନୈତିକ କିମ୍ବା ରାଜନୈତିକ ଦୃଷ୍ଟିରୁ ଉଚ୍ଚ ସ୍ଥାନକୁ ଫେରିବାକୁ ଚାହାନ୍ତି, ତେବେ ସେମାନେ ହମାସ୍‌ର ବିନାଶ ପାଇଁ ଆଶା କରିବା ଦରକାର। ଯେପର୍ଯ୍ୟନ୍ତ ହମାସ୍‌ ସେମାନଙ୍କ ପ୍ରତିନିଧିତ୍ୱ ବୋଲି ଦାବି କରୁଥିବ, ସେପର୍ଯ୍ୟନ୍ତ ସେମାନେ କରିଥିବା ମନ୍ଦ କାର୍ଯ୍ୟ ପାଲେଷ୍ଟିନୀୟଙ୍କ ଲକ୍ଷ୍ୟକୁ କଳଙ୍କିତ କରିବ।

  • ପିଟର ସିଙ୍ଗର
    ପ୍ରାଧ୍ୟାପକ, ବାୟୋଏଥିକ୍ସ, ପ୍ରିନଷ୍ଟନ ବିଶ୍ୱବିଦ୍ୟାଳୟ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri