ଭୋଜି ସାରି ଫେରୁଥିବାବେଳେ ପୋଲ ତଳକୁ ଖସି ପଡିଲା ବାଇକ: ୨ ମୃତ

ପରଜଙ୍ଗ,୫ା୯(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା-ଆଳୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ପୋଲ ତଳକୁ ଏକ ବାଇକ୍‌ ଖସି ଶନିବାର ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟରପଦା ଗ୍ରାମର ସରୋଜ ନାୟକ ଓ ବସନ୍ତପଡା ଗ୍ରାମର ସୁବ୍ରତ ସାହୁ। ପାଟରପଦା ଗ୍ରାମର ଦେବାଶିଷ ବିଶ୍ୱାଳ ଗୁରୁତର ହୋଇଛନ୍ତି। ଅପରାହ୍ନରେ ୬ ଜଣ ଯୁବକ ବଡ଼ଜୁରା ନିକଟରେ ଭୋଜି ସାରି ଦୁଇଟି ବାଇକ୍‌ରେ ଫେରୁଥିଲେ। ସରୋଜ ଓ ସୁବ୍ରତ ବସିଥିବା ବାଇକ୍‌ (ନଂ. ଓଆର ୧୯ ପି ୬୬୮୩) ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା। ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ଦେବାଶିଷଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପରଜଙ୍ଗ ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପରଜଙ୍ଗ ଥାନା ଏଏସ୍‌ଆଇ ପଦ୍ମିନୀ ଦଳେଇ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।