ଆତଙ୍କ ଖେଳାଉଥିଲା ବିହାରୀ ନଟ୍‌ ଗ୍ୟାଙ୍ଗ

ଭୁବନେଶ୍ୱର,୨୨।୩(ବ୍ୟୁରୋ):ରାଜଧାନୀରେ ବିଭିନ୍ନ ଥାନା ଅଞ୍ଚଳରେ ଲୁଟ୍‌ ସହ ଆତଙ୍କ ଖେଳାଉଥିବା ବିହାରୀ ନଟ୍‌ ଗ୍ୟାଙ୍ଗ ଶେଷରେ ଧରାପଡିଛି। ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ୨ଜଣଙ୍କୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ପଶ୍ଚିମବଙ୍ଗ ରାଜଗଞ୍ଜ ଥାନା ଅଞ୍ଚଳର ବାଦଲ ଗୋୱାଲା (୩୪) ଓ ଅନିକେତ୍‌ ଦାସ(୨୨)। ସେମାନଙ୍କଠାରୁ ୧ ଲକ୍ଷ ୫୦ ହଜାର ୩୮୬ ଟଙ୍କା, ୨ ନକଲି ଭୋଟର ପରିଚୟପତ୍ର ଓ ୩ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଶହୀଦନଗର ପୋଲିସ ମଙ୍ଗଳବାର ସେମାନଙ୍କୁ କୋର୍ଟ ଚାଲାଣ କରିବ। ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଅଣାଯିବ ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି।
ତେବେ ପଚରାଉଚରା ଓ ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତଙ୍କଦ୍ୱୟ ବିହାରର କୋରହା ତଥା କାଟିହାରର କୁଖ୍ୟାତ ନଟ୍‌ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣାପଡିଛି। ଏହି ଗ୍ୟାଙ୍ଗ୍‌ ସଦସ୍ୟମାନେ ସାରା ଦେଶରେ ଅପରାଧ ଘଟାଇଥାନ୍ତି। ଓଡ଼ିଶାରେ ଏହି ଗ୍ୟାଙ୍ଗର ୪ଜଣ ସଦସ୍ୟ ରହି ଲୁଟ୍‌ପାଟ କରୁଥିବାବେଳେ ଅନ୍ୟମାନଙ୍କୁ ଧରିବାକୁ ପୋଲିସ ଯୋଜନା କରିଛି। ଏମାନେ ସାଧାରଣତଃ ଚୋରା ବାଇକରେ ବୁଲିବୁଲି ଲୁଟ୍‌ କରୁଥିବାରୁ ସହଜରେ ଧରାପଡନ୍ତି ନାହିଁ। ତେବେ ଏମାନଙ୍କ ନାମରେ ଭୁବନେଶ୍ୱର ଖାରବେଳନଗର ଥାନାରେ ୨, ଶହୀଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ଗୋଟିଏ ଲେଖାଏ ମାମଲା ରହିଛି। ଏହାବ୍ୟତୀତ ଆସାମରେ ୧୫, ବିହାରରେ ୭ ଓ ପଶ୍ଚିମବଙ୍ଗରେ ଏକାଧିକ ମାମଲାରେ ଏମାନେ ସମ୍ପୃକ୍ତ ଥିବା ଜଣାପଡଛି। କମିଶନରେଟ ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ପାଇଁ ସମ୍ପୃକ୍ତ ରାଜ୍ୟ ପୋଲିସ ସହ ଯୋଗାଯୋଗ କରିଛି।
କୋଲକାତା ଖସିଯାଉଥିଲେ, କୁଆଖିଆରୁ ଧରାପଡ଼ିଲେ
ରାଜଧାନୀରେ ସମାନ ଧରଣର ଲୁଟ୍‌ ବାରମ୍ବାର ହେବା ପରେ ଗୋଟିଏ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଥିଲା। ଉକ୍ତ ଗ୍ୟାଙ୍ଗ୍‌କୁ ଧରିବାକୁ ସ୍ପେଶାଲ ସ୍କ୍ବାଡ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ପିଓପିଡି ଟିମ୍‌ ଓ ଟିମ୍‌-୬୦କୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଥମେ ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା। ପୋଲିସ ଟାର୍ଗେଟ୍‌ରେ ଥିବା ଜାଣିବା ପରେ ଅଭିଯୁକ୍ତଦ୍ୱୟ ସୋମବାର ସକାଳେ ଯାଜପୁର ଜିଲା କୁଆଖିଆରୁ ଗୋଟିଏ କାର୍‌ ଭଡ଼ା କରି କୋଲକାତା ହାଓ୍ବଡା ପଳାଇବାକୁ ଚେଷ୍ଟା କରୁଥିଲେ। ଏହା ଜାଣିବା ପରେ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା।