ପୁରୀକୁ ଚାଲିବ ବନ୍ଦେ ଭାରତ ଟ୍ରେନ୍‌

ପୁରୀ ଅଫିସ୍‌/ ସାକ୍ଷୀଗୋପାଳ (ସ୍ବ.ପ୍ର./ଡି.ଏନ୍‌.ଏ.) ଭୁବନେଶ୍ୱର, ୨୦।୮(ବ୍ୟୁରୋ)
ଦେଶରେ ଚାଲିବାକୁ ଥିବା ୭୫ଟି ବନ୍ଦେ ଭାରତ ଟ୍ରେନ ମଧ୍ୟରୁ ଗୋଟିଏ ପୁରୀକୁ ଚଳାଚଳ କରିବ। ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଓ ଜଗନ୍ନାଥ ସଂସ୍କୃତି ସହ ଯୋଡ଼ିହୋଇ ରହିଥିବାରୁ ରେଳପଥର ବିକାଶ ପାଇଁ ପୁରୀ-କୋଣାର୍କ ରେଳଲାଇନର ନିର୍ମାଣ କାର୍ଯ୍ୟ ନିମନ୍ତେ କେନ୍ଦ୍ର ଖୁବ୍‌ଶୀଘ୍ର ପଦକ୍ଷେପ ନେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଏହାସହ ଶ୍ରୀକ୍ଷେତ୍ର ପୁରୀ ସହ ସାଂସ୍କୃତିକ ଓ ରାଜ୍ୟବାସୀଙ୍କ ଭାବାବେଗ ଯୋଡ଼ିହୋଇ ରହିଥିବାରୁ ଏଠାକାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅଶ୍ୱିନୀ କହିଛନ୍ତି। ଦେଶବ୍ୟାପୀ ଭାଜପା ପକ୍ଷରୁ ଆରମ୍ଭ କରାଯାଇଥିବା ଜନ ଆଶୀର୍ବାଦ ଯାତ୍ରାର ପ୍ରଥମ ଦିନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଗସ୍ତରେ ଆସିଛନ୍ତି। ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ଆସି ପୂରା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।
୪ଦିନଆ ଓଡ଼ିଶା ଗସ୍ତରେ ଆସିଥିବା ୨ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରଠାରେ ଗୁରୁବାର ପହଞ୍ଚତ୍ବାପରେ ଉଭୟଙ୍କୁ ଭାଜପା ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଏକ ବିରାଟ ଶୋଭାଯାତ୍ରା ପୁରୀ ଅଭିମୁଖେ ବାହାରିଥିଲା। ପ୍ରଥମେ ମନ୍ତ୍ରୀଦ୍ୱୟ ସର୍ବପୁରାତନ ବକୁଳବନ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ। ଶିକ୍ଷା କ୍ଷେତ୍ରରେ ସାକ୍ଷୀଗୋପାଳ ବକୁଳବନ ଏକ ସ୍ବତନ୍ତ୍ର ଭୂମିକା ସୃଷ୍ଟି କରିଥିବାରୁ ଏଠାରେ ହେବାକୁ ଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟରେ ରାଜ୍ୟକୁ କେନ୍ଦ୍ର ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବ। ବକୁଳବନ ବିଶ୍ୱବିଦ୍ୟାଳୟକୁ ନୂଆ ଶିକ୍ଷାନୀତିର ପ୍ରୟୋଗଶାଳା କରାଯିବାସହ ରାଜ୍ୟର ୫୦ ହଜାର ଗାଁକୁ ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦିଆଯିବ ଏବଂ ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମକୁ ଓଡ଼ିଶାରେ ପ୍ରଚଳନ ଲାଗି ଉଦ୍ୟମ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି।
ପରେ ଉଭୟ ମନ୍ତ୍ରୀ ଏବଂ ଭାଜପା ମୁଖପାତ୍ର ପୁରୀର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣସ୍ତମ୍ଭ ନିକଟରେ ମହାପ୍ରଭୁଙ୍କୁ ଦୀପଦାନ କରିବା ସହ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ। ସାଙ୍ଗରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଓ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଥିଲେ। ଏହାପରେ ଦୁଇ ମନ୍ତ୍ରୀ ସର୍କିଟ ହାଉସରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଉଭୟଙ୍କୁ ୫୦ରୁ ଊର୍ଦ୍ଧ୍ୱ ସଙ୍ଗଠନର କର୍ମକର୍ତ୍ତା ସମ୍ବର୍ଦ୍ଧିତ କରିବା ସହ ଦାବିପତ୍ର ଦେଇଥିଲେ। ପୁରୀ-କୋଣାର୍କ ରେଳପଥ ନିର୍ମାଣ, ପୁରୀ ରେଳଷ୍ଟେଶନରେ ଜଗନ୍ନାଥ ପରମ୍ପରା ଓ ସଂସ୍କୃତି ଗ୍ୟାଲେରି ନିର୍ମାଣ ପାଇଁ ଦାବି କରାଯାଇଛି। ଅଟୋରିକ୍ସା ସଂଘ, ଟ୍ରକ୍‌ ସଂଘ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆର୍ଥିକ ସହାୟତା ଦାବି କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ପ୍ରଧାନ କହିଛନ୍ତି, ପୂର୍ବ ଭାରତ ବିକାଶ ଚିତ୍ରରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି। ନୂଆ ଶିକ୍ଷାନୀତି ଆଧାରରେ ରାଜ୍ୟର ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆସିବ ଓ ବକୁଳବନ ବିଦ୍ୟାଳୟକୁ ନୂତନ ଶିକ୍ଷାନୀତିର ପ୍ରୟୋଗଶାଳାରେ ପରିଣତ କରାଯିବ। ସେହିପରି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଆଗାମୀ ଦିନରେ ଓଡ଼ିଆ ଭାଷାରେ ଏହି ପାଠ୍ୟକ୍ରମ ହେବାର ଯୋଜନା ରହିଛି।
ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସମସ୍ତ କେନ୍ଦ୍ରମନ୍ତ୍ରୀ ଦେଶର ପ୍ରାୟ ୨୧୨ ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆଶୀର୍ବାଦ ଲୋଡ଼ିବେ। ଏହି ଜନ ଆଶୀର୍ବାଦ ଯାତ୍ରା ୧୪୨ ଦିନ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନେ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବେ। ଏହି ଯାତ୍ରା ଅବସରରେ ଗୁରୁବାର ଧର୍ମେନ୍ଦ୍ର ଏବଂ ଅଶ୍ୱିନୀ ୪ଦିନିଆ ଓଡ଼ିଶା ଗସ୍ତରେ ଆସି ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ବାଦ୍ୟ ଏବଂ ପାରମ୍ପରିକ ପାଇକନୃତ୍ୟ ଓ ଗୀତ ସହ ଦୁଇ ମନ୍ତ୍ରୀଙ୍କୁ ବିମାନବନ୍ଦରଠାରେ ସ୍ବାଗତ କରାଯାଇଥିଲା। ଜଗନ୍ନାଥଙ୍କ ଆଶୀର୍ବାଦ ପାଇଁ ଦୁଇ ମନ୍ତ୍ରୀ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିଥିଲେ ା ପୁରୀ ଯାତ୍ରା ଅବସରରେ କଳ୍ପନା ଛକ, ବାର୍‌ ଆସୋସିଏଶନ, ଲିଙ୍ଗିପୁର ଛକ, ଉତ୍ତରା, ପିପିଲି, ବଳଙ୍ଗା, ସାତଶଙ୍ଖ, ଚନ୍ଦନପୁର, ଅଠରନଳା ଆଦି ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ବ୍ୟାପକ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ା ସମ୍ବିତଙ୍କୁ ମଧ୍ୟ ପୁରୀ ଜିଲାବାସୀ ବହୁଳ ମାତ୍ରାରେ ସ୍ବାଗତ ଜଣାଇଥିଲେ। ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଉଭୟ କେନ୍ଦ୍ରମନ୍ତ୍ରୀ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଜ୍ୟ ସଭାପତି ସମୀର ମହାନ୍ତି ଦୁଇ ମନ୍ତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ। ଏହାପରେ ଜିଲା ସଭାପତିମାନଙ୍କ ନେତୃତ୍ୱରେ ଆସିଥିବା ବିଭିନ୍ନ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ା ଧର୍ମେନ୍ଦ୍ର ଏହି ଗସ୍ତ ଅବସରରେ ଖୋର୍ଦ୍ଧା, ପୁରୀ, କଟକ ଜିଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୂଳ ପ୍ରୟାସ ହେଉଛି ପୂର୍ବୋଦୟର ବିକାଶ। ରାଜ୍ୟର ଗରିବ, ବଞ୍ଚିତ, ଶୋଷିତ ବର୍ଗଙ୍କ କଲ୍ୟାଣ ପାଇଁ ତ୍ୱରିତ ପଦକ୍ଷେପ ସ୍ବରୂପ ଆମେ ସମସ୍ତେ କାର୍ଯ୍ୟ କରିବୁ। ଯେଉଁସବୁ ଅଞ୍ଚଳରେ ଏ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ପହଞ୍ଚିପାରି ନାହିଁ ସେହି କାମ ତୁରନ୍ତ ଶେଷ କରାଯିବ ବୋଲି ଏହି ଅବସରରେ ଅଶ୍ୱିନୀ କହିଛନ୍ତି। ପରେ ଅଶ୍ୱିନୀ ଟ୍ରେନ୍‌ ଯୋଗେ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri