ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ ବ୍ୟକ୍ତି) ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଅଭିଯୋଗ ଅନୁଯାୟୀ, ଜଣେ ହୋଟେଲ ମାଲିକ ଓ ତାଙ୍କ ସାନଭାଇଙ୍କ ନାମରେ ଏକ ଅବକାରୀ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାରେ ଗିରଫ ନକରିବା ଏବଂ ସହାୟତା କରିବା ପାଇଁ ଏଏସ୍ଆଇ ମଦନ ମୋହନ ପ୍ରଧାନ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଲାଞ୍ଚ ନଦେଲେ ଗିରଫ କରି କୋର୍ଟ ଚାଲାଣ କରିଦେବେ ବୋଲି ଧମକ ଦେଇଥିବା ମଧ୍ୟ ଅଭିଯୋଗ ରହିଛି। ବାଧ୍ୟ ହୋଇ ହୋଟେଲ ମାଲିକ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଶନିବାର ଏଏସ୍ଆଇ ମଦନ ମୋହନ ପ୍ରଧାନ ଓ ତାଙ୍କ ସହଯୋଗୀ ହୋଟେଲ ମାଲିକଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ କାବୁ କରିଥିଲା। ସେମାନଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଏପରେ ଏଏସ୍ଆଇ ମଦନ ମୋହନ ପ୍ରଧାନଙ୍କ ଆୟବହିର୍ଭୂତ ସମ୍ପତ୍ତି ଯାଞ୍ଚ ପାଇଁ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି। ଏହି ସମ୍ବନ୍ଧରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନଂ. ୧୦/୨୬ରେ ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ସୂତ୍ରରୁ ଜଣାପଡ଼ିଛି।

