ସଫଳ ଗଣତନ୍ତ୍ରର ଆଧାର

ରୋଧ କରିବା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଅବିଚ୍ଛିନ୍ନ ଅଙ୍ଗ। ଏକଚ୍ଛତ୍ରବାଦୀ ଶାସନରେ ଜଣେ ମଣିଷର ବା ଗୋଟିଏ ନିର୍ଦ୍ଦିଷ୍ଟ ଦଳର ଶାସନ ଚାଲେ। କ୍ଷମତାହୀନ ଦଳ ବାହାରେ ଆଉ କାହାରିକୁ ମୁହଁ ଖୋଲିବାକୁ ଦିଆଯାଏନାହିଁ। ମାତ୍ର ଗଣତନ୍ତ୍ରରେ ଗୋଟିଏ ଦଳ ଶାସନରେ ଥାନ୍ତି, ମାତ୍ର ତା’ ସହିତ ଅନ୍ୟ ଏକାଧିକ ଦଳ ମଧ୍ୟ ଥାନ୍ତି। ସେମାନେ ମଧ୍ୟ ଶାସନରେ ଏକ ଅପରିହାର୍ଯ୍ୟ ଅଙ୍ଗ। ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ, ”ସତ୍ୟ କେବଳ ଗୋଟିଏ ବାଦରେ କିମ୍ବା ଆଦର୍ଶରେ ନାହିଁ, ତେଣୁ କୌଣସି ଦଳ କଦାପି ସଂପୂର୍ଣ୍ଣ ସତ୍ୟର ପ୍ରତିନିଧିତ୍ୱ କରିପାରିବ ନାହିଁ। ତାକୁ ଅନ୍ୟମାନଙ୍କ କଥା ଶୁଣିବାକୁ ପଡ଼ିବ ଏବଂ ବିବିଧ ମତର ଏକତ୍ର ସଂଘାତ ଅଥବା ସନ୍ତୁଳନରେ ଯାଇ ଅସଲ ସତ୍ୟଟି ସମ୍ଭବ ହୋଇପାରିବ। ଏହିପରି ଏକ ମୂଳଭୂତ ବିଚାର ଓ ବିବେକ ଉପରେ ଗଣତନ୍ତ୍ର ଆଧାରିତ ହୋଇ ରହିଥାଏ। ତେଣୁ ଏଥିରେ ବିବିଧତାକୁ ସମ୍ମାନ ଦିଆଯାଏ, ଅପର ଆଉ ଜଣକୁ ସମ୍ମାନ ଦିଆଯାଏ; କ୍ଷମତାର ଆସନରେ ବସିଥିବା ମଣିଷମାନେ ଯେ ସଂପୂର୍ଣ୍ଣ ସତ୍ୟର ମୋଟେ ଅଧିକାରୀ ନୁହନ୍ତି, ସେହି କଥାଟିକୁ ସଂପୃକ୍ତ ସମସ୍ତେ ଏକ ମହତ୍ତ୍ୱପୂର୍ଣ୍ଣ ମୂଳକଥା ବୋଲି ସ୍ବୀକାର କରିନେଇଥାନ୍ତି। ଯିଏ ସବୁଥିରୁ ଅଧିକ ବଳୁଆ ହୋଇ ନିର୍ବାଚନର ରଣରେ ବିଜୟୀ ହୋଇ ଶାସନରେ ବସିଛି, କେବଳ ସେଇ ଏକମାତ୍ର ସର୍ବେସର୍ବା ନୁହେଁ-ଅନ୍ୟ ତଥାକଥିତ ଅଳ୍ପବଳମାନଙ୍କର ମଧ୍ୟ କିଛି କରିବାକୁ ରହିଛି, ସେହି କଥାକୁ ଅଲବତ ସମ୍ମାନ ଓ ସ୍ବୀକୃତି ଦେବାକୁ ପଡ଼ିବ, ଗଣତନ୍ତ୍ରରେ ଏହାକୁ ହିଁ ସର୍ବପ୍ରଥମ ଔଚିତ୍ୟ ଓ ଭଦ୍ରତା ବୋଲି ସ୍ବୀକାର କରାଯାଇଥାଏ।“ ମାତ୍ର ଅପରପକ୍ଷରେ ଯେଉଁମାନେ ବିରୋଧ କରନ୍ତି ସେମାନଙ୍କ ବିରୋଧ ପଛରେ ଔଚିତ୍ୟ ଓ ବିବେକ ଚାଳିତ ବିଚାରବୋଧ ରହିଥିବା ଦରକାର। କେବଳ ବିରୋଧ କରିବା ପାଇଁ ବିରୋଧ କରିବା ସେମାନଙ୍କ ନୀତି ହେବା ଠିକ୍‌ ନୁହେଁ।
ସଂପ୍ରତି ଯେଉଁ ଦଳ ବା ଦଳଗୁଡ଼ିକ ସଂଖ୍ୟାଗରିଷ୍ଠତା ହାସଲ କରି ନ ପାରି ସରକାର ଗଢ଼ିପାରୁ ନାହାନ୍ତି ସେହି ଦଳକୁ ବିରୋଧୀଦଳ କୁହାଯାଉଛି। ଏବେ ସାଧାରଣ ଲୋକ ବିରୋଧୀ ଦଳ କହିଲେ ବୁଝନ୍ତି- ଯେଉଁମାନେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ବିରୋଧ କରନ୍ତି, ମାଇକ୍‌ ଭାଙ୍ଗନ୍ତି, ଚୌକି ଫୋପାଡ଼ନ୍ତି, ବିଲ୍‌ ଚିରନ୍ତି, ବାଚସ୍ପତିଙ୍କ ନିର୍ଦ୍ଦେଶ ମାନନ୍ତି ନାହିଁ, ତାଙ୍କ ଟେବୁଲ ଉପରକୁ ଚଢ଼ନ୍ତି, ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ କରନ୍ତି, ଝାଞ୍ଜ ବଜାନ୍ତି, ପ୍ଲାକାର୍ଡ଼ ଦେଖାନ୍ତି ଓ ବିଧାନସଭା ବା ସଂସଦକୁ ଅଚଳ କରନ୍ତି। ଗଣତନ୍ତ୍ରରେ ସଂଖ୍ୟାଲଘୁ ଦଳର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ସରକାରୀ କଳ ଦ୍ୱାରା ଯଦି କ୍ଷମତାର ଅପବ୍ୟବହାର ହେଉଥାଏ ତାକୁ ରୋକିବା ହେଉଛି ଏହି ଦଳର କାମ। ପୁନଶ୍ଚ ଗଠନମୂଳକ ପ୍ରସ୍ତାବ ଦେବା ମଧ୍ୟ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ଓ ସରକାରୀ ଦଳ ତାକୁ ସକାରାମତ୍କ ଭାବରେ ଗ୍ରହଣ କରିବା ଉଚିତ। ମାତ୍ର ସଂପ୍ରତି ଭାରତରେ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳ ନିଜ ନିଜର ଭୂମିକା ଠିକ୍‌ ଭାବରେ ନିର୍ବାହ କରୁ ନ ଥିବାର ଲକ୍ଷ୍ୟ କରାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ବିରୋଧୀ ଦଳ ସରକାରଙ୍କୁ ବିରୋଧ କରୁଛି ଓ ବିରୋଧୀ ଦଳର ପ୍ରସ୍ତାବକୁ ସରକାରୀ ଦଳ ଗ୍ରହଣ କରୁନାହିଁ। ପରସ୍ପର ପରସ୍ପରକୁ ଶତ୍ରୁ ମଣୁଛନ୍ତି। ସରକାରୀ ଦଳ ଯେ ସର୍ବଦା ଠିକ୍‌ କାର୍ଯ୍ୟ କରୁଥିବ ଏଥିରେ କୌଣସି ନୈଶ୍ଚିତ୍ୟ ନାହିଁ। ମଣିଷ ଓ ପଶୁ ମଧ୍ୟରେ ପାର୍ଥକ୍ୟ ହେଉଛି-ପଶୁ ଭୁଲ୍‌ କରେ, କିନ୍ତୁ ଭୁଲ୍‌କୁ ସଂଶୋଧନ କରିପାରେ ନାହିଁ, କାରଣ ତା’ର ବିଚାରବୋଧ ନାହିଁ।
ମାତ୍ର ମଣିଷ ଭୁଲ୍‌ କଲେ ଓ ତାକୁ ସଂଶୋଧନ କରିପାରେ, କାରଣ ତା’ର ବିଚାରଶକ୍ତି ଅଛି। ଯେତେବେଳେ ସରକାରୀ ଦଳ କିଛି ଭୁଲ୍‌ କରିବସେ, ସେତେବେଳେ ବିରୋଧୀ ଦଳର ବିରୋଧ ସରକାରୀ ଦଳକୁ ତାର ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ସୁଯୋଗ ଦିଏ। ଅନେକ କ୍ଷେତ୍ରରେ ଭୁଲ୍‌ ସଂଶୋଧିତ ହୋଇଯାଏ। ଏହି ପ୍ରସଙ୍ଗରେ ମନେପଡ଼େ ଜଣେ ବିଶିଷ୍ଟ ପ୍ରାଞ୍ଜପୁରୁଷର ବକ୍ତବ୍ୟ:
ଜୀବନ୍ତୁ ମେ ଶତ୍ରୁଗଣାଃ ସଦୈବ
ତେଷାଂ ପ୍ରସାଦାତ୍‌ ସୁବିଚକ୍ଷଣୋଽହଂ
ଯେ ଯେ ଯଥା ମାଂ ପ୍ରତିବାଧୟନ୍ତି
ତେ ତେ ତଥା ମାଂ ପ୍ରତିବୋଧୟନ୍ତି
ଅର୍ଥାତ୍‌ ମୋ ଶତ୍ରୁଗଣ ସର୍ବଦା ବଞ୍ଚତ୍ରହନ୍ତୁ, କାରଣ ତାଙ୍କ ପ୍ରସାଦରୁ ମୁଁ ଆହୁରି ବିଚକ୍ଷଣ ହୋଇପାରୁଛି। ଯଦିଓ ସେମାନେ ମୋତେ ପ୍ରତିରୋଧ କରନ୍ତି, ତଦ୍ଦ୍ବାରା ମୁଁ ଜାଗ୍ରତ ହୁଏ। ନିଜର ଭୁଲ୍‌ ତ୍ରୁଟିକୁ ସୁଧାରିବା ପାଇଁ ସୁଯୋଗ ପାଏ। ଠିକ୍‌ ସେହିପରି ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ କରୁଥିବା ବାମଣ୍ଡାର ରାଜା ସୁଢ଼ଳଦେବଙ୍କୁ କେହି ତର୍କରେ ବିରୋଧ କଲେ ସେ କହୁଥିଲେ ”ମୋ ସହିତ ପ୍ରତିପକ୍ଷତା କଲେ ମୁଁ ନୂତନ କିଛି ଶିକ୍ଷା ଲାଭ କରିବାର ସୁଯୋଗ ପାଇବି, ମୋର ରାଜସମ୍ମାନ ସ୍ମରଣ କରି ଯେପରି ମୋର ମତକୁ ନିଜ ମତ ବୋଲି ଗ୍ରହଣ କରିବେ ନାହିଁ। ଆପଣଙ୍କ ସମକକ୍ଷ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ବୋଲି ମନେ କରିବେ। ମୁଁ ଯାହା ଜାଣେ ସେଥିରେ ସମ୍ମତ ହେବା ସହଜ କାର୍ଯ୍ୟ, ମୋର ମୂର୍ଖ ପ୍ରଜା ମଧ୍ୟ ତାହା କରିପାରନ୍ତି, ଆପଣ ଆପଣଙ୍କ ପକ୍ଷ ସମର୍ଥନରେ ପଟୁତା ପ୍ରଦର୍ଶନ କଲେ ହିଁ ମୁଁ ସୁଖୀ ହେବି।“ ଏହି ବକ୍ତବ୍ୟରୁ ସାଂପ୍ରତିକ ସମୟର ସରକାର ଶିକ୍ଷା କରିବା ଉଚିତ ଓ ବିରୋଧୀ ଦଳକୁ ଦମନ ନ କରି ତାଙ୍କ ସ୍ବରକୁ ଏକ ସତର୍କଘଣ୍ଟି ଭାବରେ ଗ୍ରହଣ କରିବା ଉଚିତ। ଏହା ହେଉଛି ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା।
କାନାଡ଼ା, ଜର୍ମାନୀ ଭଳି କେତେକ ଗଣତାନ୍ତ୍ରିକ ଦେଶରେ ବିରୋଧୀ ଦଳମାନେ ଛାୟା ମନ୍ତ୍ରିମଣ୍ଡଳ ଗଢ଼ନ୍ତି। ଫଳରେ ସଂସଦରେ ଆଲୋଚନା ଗଠନମୂଳକ ହୁଏ। କେତେକ ଦେଶରେ ବିରୋଧୀ ଦଳକୁ ‘ଅପେକ୍ଷିତ ସରକାର’ ବୋଲି କୁହାଯାଏ, କାରଣ ସରକାର କୌଣସି କାରଣରୁ ଅସମର୍ଥ ବା ସଂଖ୍ୟାଲଘୁ ହୋଇଗଲେ ବିରୋଧୀ ଦଳ ସରକାର ଗଢ଼ନ୍ତି। ଏଣୁ ବିଶିଷ୍ଟ ସ୍ତମ୍ଭକାର ଭଗବାନ ପ୍ରକାଶ ଏକ ପ୍ରବନ୍ଧରେ କହିଛନ୍ତି ଗଣତନ୍ତ୍ରରେ ଯେଉଁ ସଂଖ୍ୟାଲଘୁ ଦଳକୁ ବିରୋଧୀ ଦଳ କୁହାଯାଉଛି ତାକୁ ବିରୋଧୀ ଦଳ କୁହା ନ ଯାଇ ବିକଳ୍ପ ଦଳ କୁହାଯିବା ଉଚିତ। ବିରୋଧୀ ଦଳ କହିବା ଦ୍ୱାରା ଦଳର ସଦସ୍ୟ ଧରିନେଉଛନ୍ତି ଯେ ସେମାନଙ୍କ କାମ ହେଉଛି ସବୁବେଳେ ବିରୋଧ କରିବା। ସେମାନେ ଏହି ଭ୍ରାନ୍ତ ଧାରଣାରୁ ମୁକ୍ତ ହେବା ଦରକାର। ସେମାନେ ନିଜକୁ ସରକାରୀ ଦଳର ଏକ ବିକଳ୍ପ ଭାବରେ ପ୍ରତିପାଦିତ କରିବା ଆବଶ୍ୟକ। ସଂସଦୀୟ ଗଣତନ୍ତ୍ରରେ ବିରୋଧୀ ଦଳ ନିଜ ସଂକୁଚିତ ସଂଖ୍ୟାକୁ ନେଇ ବିଚଳିତ ହେବା ଉଚିତ ନୁହେଁ। ସର୍ବଦା ନିଷ୍ପକ୍ଷ ବା ନିରପେକ୍ଷ ମନୋଭାବ ନେଇ ଦେଶର ବୃହତ୍ତର ସ୍ବାର୍ଥ ପାଇଁ କାମ କରିବା ବିରୋଧୀ ଦଳର ସାମ୍ବିଧାନିକ କର୍ତ୍ତବ୍ୟ। ବିଡ଼ମ୍ବନାର ବିଷୟ ଯେ ସଂପ୍ରତି ଭାରତରେ ଉଭୟ ସରକାରୀ ଓ ବିରୋଧୀ ଦଳ ଆଦର୍ଶଚ୍ୟୁତ ହୋଇଯାଇଛନ୍ତି। କଳେ ବଳେ କୌଶଳେ ନିର୍ବାଚନ ଲଢ଼ିବାକୁ ଓ ଜିତିବାକୁ ସେମାନେ ଯେତିକି ଆଗ୍ରହ ପ୍ରକାଶ କରୁଛନ୍ତି ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁସରଣ କରିବା ପାଇଁ ସେତିକି ଅନିଚ୍ଛା ପ୍ରକାଶ କରୁଛନ୍ତି। ଏଥିପାଇଁ ଜୟପ୍ରକାଶ ନାରାୟଣ ଏକ ଦଳମୁକ୍ତ ସରକାର ଗଢ଼ିବା ପାଇଁ ଆହ୍ବାନ ଦେଇଥିଲେ। ସବୁ ବର୍ଗର ପ୍ରତିନିଧି ଓ ଅଭିଜ୍ଞ ଲୋକଙ୍କୁ ନେଇ ଏକ ଜାତୀୟ ସରକାର ଗଢ଼ାଯିବା ଉଚିତ ବୋଲି ସେ ମତ ଦେଉଥିଲେ। ଏବେ ମଧ୍ୟ ଛୋଟ ନିଉଏ, ଟୁଭୁଲୁ ଭଳି ଛୋଟ ଦ୍ୱୀପରେ ରାଜନୈତିକ ଦଳବିହୀନ ସରକାର ପ୍ରଚଳିତ ଥିଲେ ହେଁ ଭାରତ ଭଳି ବୃହତ୍‌ ଗଣତନ୍ତ୍ରରେ ଏହା ସଫଳ ହେବା ସମ୍ଭବ ନୁହେଁ। ଏଣୁ ସରକାରୀ ଦଳ ଓ ତଥାକଥିତ ବିରୋଧୀ ଦଳ (ଯାହାକୁ ବିକଳ୍ପ ଦଳ କହିବା ବେଶି ସମୀଚୀନ)ର ସୁସହାବସ୍ଥାନ ହିଁ ସଫଳ ଗଣତନ୍ତ୍ରର ଆଧାର ହୋଇପାରିବ।

ପ୍ରାକ୍ତନ ଅଧ୍ୟକ୍ଷ, ଡି.ଏ.ଭି. ସ୍ବୟଂଶାସିତ କଲେଜ, ଟିଟିଲାଗଡ଼
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri