Categories: ଗଞ୍ଜାମ

ଋଷିକୁଲ୍ୟାରେ ଶ୍ରଦ୍ଧାଳୁଙ୍କ ବାରୁଣୀ ସ୍ନାନ

ପୁରୁଷୋତ୍ତମପୁର,୩୧।୩(ଡି.ଏନ.ଏ.): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀରେ ବୁଧବାର ମହାବାରୁଣୀ ସ୍ନାନ ଲାଗି ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ମହାମାରୀ କରୋନା ଲାଗି ଦୁଇ ବର୍ଷ ହେଲା ମହାବାରୁଣୀ ସ୍ନାନ ବନ୍ଦ ରହିଥିଲା। ଲୋକେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିପାରି ନ ଥିବା ବେଳେ ସମ୍ପର୍କିୟଙ୍କ ମୃତ୍ୟୁ ପରେ ଅସ୍ତି ବିସର୍ଜନ ମଧ୍ୟ କରିପାରି ନ ଥିଲେ। ଚଳିତବର୍ଷ ବାରୁଣୀ ସ୍ନାନକୁ ଅନୁମତି ମିଳିଥିବାରୁ ପ୍ରବଳ ଭିଡ ଜମିଥିଲା। ପରମ୍ପରା ଅନୁସାରେ ବାବା ତୁମ୍ବେଶ୍ୱର, ଜଗନ୍ନାଥ, ରଘୁନାଥ, ଲକ୍ଷ୍ମୀ ନାରାୟଣ ଓ ମା ତାରା ତାରିଣୀଙ୍କୁ ବୁଡ ଘାଟକୁ ଅଣାଯାଇ ପୂଜାର୍ଚ୍ଚନା ସହ ମେଳଣ କରାଇବା ପରେ ଭୋରରୁ ବୁଡ ପକାଇବା ଆରମ୍ଭ ହୋଇଥିଲା।
କିମ୍ବଦନ୍ତୀ ପ୍ରକାରେ ରାମଚନ୍ଦ୍ର ବନବାସରେ ଥିବା ବେଳେ ପ୍ରତାପୁର ଋଷିକୁଲ୍ୟା ନଦୀର ଉତ୍ତରବାଙ୍କ ଠାରେ ରହିବା ସହ ବାବା ତୁମ୍ବେଶ୍ୱରଙ୍କୁ ସ୍ଥାପନା କରି ପୂଜାର୍ଚ୍ଚନା କରିଥିଲେ। ସେ ସମୟରେ ପିତା ଦଶରଥଙ୍କ ମୃତ୍ୟୁ ଖବର ପାଇ ପତ୍ନୀ ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ପିତାଙ୍କ ଉଦ୍ଦେଶ୍ୟରେ ବାଲିପିଣ୍ଡ ଦାନ କରିଥିଲେ। ସେବେଠାରୁ ଏଠାରେ ବାରୁଣୀ ସ୍ନାନ ହେଉଛି। ଏଠାରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କଲେ, ମୃତ ବ୍ୟକ୍ତିଙ୍କ ଅସ୍ତୀ ବିସ୍ବର୍ଜନ କଲେ ଓ ବୁଡ ପକାଇଲେ ମୃତ ବ୍ୟକ୍ତିଙ୍କ ସ୍ବର୍ଗ ପ୍ରାପ୍ତି ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ସେହିପରି ପାଣ୍ଡିଆ, ଜାମୁନି ଗ୍ରାମ ଋଷିକୁଲ୍ୟା ନଦୀ ଘାଟରେ ମଧ୍ୟ ବାରୁଣୀ ବୁଡ ପକାଯାଇଛି। ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହି ଟ୍ରାଫିକ ଓ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିଥିଲେ।