୫୦%କର୍ମଚାରୀକୁ ନେଇ କାର୍ଯ୍ୟ କରିବ ବ୍ୟାଙ୍କ

ଭୁବନେଶ୍ୱର,୪। ୮: କରୋନା ପାଇଁ ସରକାର ବ୍ୟାଙ୍କ କ୍ଷେତ୍ରଗୁଡ଼ିକ ପାଇଁ କାର୍ଯ୍ୟକ୍ଷମତାକୁ କମାଇ ୩୦% କରିଥିଲେ। ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ସରକାର ଏହି ନିୟମରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ସୋମବାର ସରକାରଙ୍କ ପକ୍ଷରୁ ଆଉ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଉକ୍ତ ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି ଯେ ଚଳିତ ମାସ ଅଗଷ୍ଟ ୩୧ ପର୍ଯ୍ୟନ୍ତ ରାଜ୍ୟରେ ବ୍ୟାଙ୍କସେବା ଯୋଗାଉଥିବା ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ସମେତ ବିଭିନ୍ନ ଇନ୍‌ସ୍ୟୁରାନ୍ସ କମ୍ପାନୀ ଓ ଷ୍ଟେଟ କୋଅପରେଟିଭ ବ୍ୟାଙ୍କ ଏବଂ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କଗୁଡିକ ମଧ୍ୟ ୫୦% କର୍ମଚାରୀକୁ ନେଇ କାର୍ଯ୍ୟ କରିପାରିବେ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଯେଉଁ ଶାଖାରେ ୫ରୁ କମ୍‌ କର୍ମଚାରୀ କାର୍ଯ୍ୟ କରୁଛନ୍ତି ସେହି ସବୁ ଶାଖାରେ ପୂରା କର୍ମଚାରୀଙ୍କୁ ନେଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ କରୋନା କଟକଣା ସହ କାର୍ଯ୍ୟ କରିପାରିବେ ବୋଲି ମଧ୍ୟ କୁହାଯାଇଛି। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣା ଓ ନିୟମାବଳୀକୁ ଜିଲା ପ୍ରଶାସନ ତଦାରଖ କରିବ ବୋଲି ସୂଚନା ମିଳିଛି।