ଦୁଇ ଭାଇଙ୍କ ମାର୍‌ପିଟ୍‌ ବେଳେ ଶିଶୁ କନ୍ୟାଙ୍କ ଜୀବନ ଗଲା

ରୂପସା,୨୫।୧: ବାଲେଶ୍ୱର ସଦର ଥାନା ହଳଦୀପଦା ଫାଣ୍ଡି ଅନ୍ତର୍ଗତ ଓଡ଼ଙ୍ଗୀ ପଞ୍ଚାୟତ ଜୁଣଗଡିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ କଳହ ଉଗ୍ରରୂପ ନେଇ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ପାରିବାରିକ କଳହରୁ ଦୁଇଭାଇଙ୍କ ମଧ୍ୟରେ ରବିବାର ମାର୍‌ପିଟ୍‌ ହୋଇଥିଲା। ବଡ ଭାଇ ବାବୁ ନାୟକ ତାଙ୍କ ସାନଭାଇ ସୁଜିତଙ୍କୁ ଏକ ଠେଙ୍ଗାରେ କ୍ରମଣ କରୁଥିବା ବେଳେ ସୁଜିତଙ୍କ ସ୍ତ୍ରୀ ଶିଶୁ କନ୍ୟାକୁ ଧରି ପଶି ଆସିଥିଲେ। ଫଳରେ ଶିଶୁ କନ୍ୟା ମୁଣ୍ଡରେ ଠେଙ୍ଗା ମାଡ଼ ହେବାରୁ ଘଟଣା ସ୍ଥଳରେ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଥିଲା। ବଡ଼ ଭାଇ ବାବୁ ଏବଂ ତାଙ୍କ ସ୍ତ୍ରୀ ଲତା ଶିଶୁକନ୍ୟାଙ୍କୁ ପିଟି ପିଟି ହତ୍ୟା କରିଥିବା ମୃତ ଶିଶୁ କନ୍ୟାଙ୍କ ମା’ ଥାନାରେ ଏକ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ହତ୍ୟା ମାମଲା (ନଂ.୩୭/୨୧)ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଗିରଫ ହୋଇ ନ ଥିବା ଆଇଆଇସି କ୍ଷମା ସାଗର ପଣ୍ଡା ସୂଚନା ଦେଇଛନ୍ତି।