Categories: ରାଜ୍ୟ

ପାଳଗଦାରୁ ମିଳିଲା ଶିଶୁକନ୍ୟା

କୋକସରା,୯।୨ (ଡି.ଏନ.ଏ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଉନି ଘର୍ଜା ପଡା ନିକଟସ୍ଥ ଚାଷ ଜମିରେ ଥିବା ଏକ ପାଳଗଦାରୁ ମଙ୍ଗଳବାର ପାହାନ୍ତିଆରେ ଶୁଣିବାକୁ ମିଳିଥିଲା କୁଆଁ କୁଆଁ ରାବ। ଶୌଚ ହେବାକୁ ଯାଉଥିବା କିଛି ମହିଳା ଏହା ଶୁଣିବା ପରେ ପାଳଗଦାରୁ ଉଦ୍ଧାର କରିଥିଲେ ଏକ ନବଜାତ ଶିଶୁକନ୍ୟାକୁ। ଗ୍ରାମବସୀଙ୍କ ଠାରୁ ଖବର ପାଇ ପହଞ୍ଚିଥିଲେ ଅଙ୍ଗନବାଡି କର୍ମୀ ପଙ୍କଜିନୀ ମାଝୀ, ଆଶା କର୍ମି ସଂଯୁକ୍ତା ନାଏକ ଓ ଭୂମିସୂତା ବାଗ, ଫାର୍ମାସିଷ୍ଟ ସୁଧିର ଧଙ୍ଗଡାମାଝୀ, ସ୍ବାସ୍ଥ୍ୟ କର୍ମୀ ଅମିତ ପଣ୍ଡା। ଆମପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟା କୁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ଚିକିତ୍ସା ପରେ ଶିଶୁର ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି। କିନ୍ତୁ ଅଧିକ ଚିକିତ୍ସା ପାଇଁ ଶିଶୁକନ୍ୟାକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଡ. ସୁଶୀଲ ସାହୁ କହିଛନ୍ତି।