ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର କରାଯାଇଛି। ଗୁରୁବାର ସକାଳେ ଏହି ଜଙ୍ଗଲ ଭିତରୁ ମାଈ ହାତୀର ନିରନ୍ତର ଚିତ୍କାର ଶୁଣି ବାକୁ ମିଳିଥିଲା। କୌତୂହଳରେ କିଛି ସ୍ଥାନୀୟ ଲୋକେ ଯାଇ ଦେଖିବା ପରେ ଗାତ ଭିତରେ ଏକ ହାତୀ ଶାବକ ପଡ଼ିଥିଲା। ଏହି ହୃଦୟସ୍ପର୍ଶୀ ଦୃଶ୍ୟ ମଧ୍ୟରେ ଗୋଟିଏ ଗାତ ଭିତରେ ପଡ଼ି ଫସି ରହିଥିଲାଏହି ହାତୀଛୁଆ। ଛୁଆକୁ ଛାଡ଼ି ଯିବାକୁ ନାରାଜ ମା’ ହାତୀ। ନିକଟରେ ରହି ଲଗାତର ଚିତ୍କାର କରୁଥିଲା।

ଘଟଣା ସମ୍ପର୍କରେ ଲୋକେ ବନ ବିଭାଗକୁ ଖବର ଦେବା ପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ। ବନ ବିଭାଗ ଟିମ ପହଞ୍ଚିବା ପରେ ମାଈହାତୀ କିଛି ଦୂରକୁ ଘୁଞ୍ଚି ଯାଇଥିଲା। ଏହାପରେ ଗାତ ଭିତରେ ଫସିଥିବା ଛୁଆ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଏହାପରେ ସକାଳ ସାଢେ ୯ଟା ବେଳେ ଛୁଆଟିକୁ ସୁରକ୍ଷିତ ଭାବେ ଗାତରୁ ବାହାର କରି ମା’ ହାତୀ ସହ ମିଳାଇଥିଲା ବନ ବିଭାଗ। ଗାତରେ ହାତୀ ଛୁଆଟି ପଡ଼ିଥିବା ବେଳେ ମା’ ହାତୀ ମଧ୍ୟ ନିଜ ଛୁଆକୁ ଛାଡ଼ି ଯାଉ ନ ଥିବା ଦୃଶ୍ୟ ଲୋକଙ୍କୁ ଭାବପ୍ରବଣ କରିଥିଲା। ସୁନ୍ଦରଗଡ଼ ବନଖଣ୍ଡର ସହକାରୀ ବନସରକ୍ଷକ ମାନସ ମୁର୍ମୁ ଓ ସଦର ରେଞ୍ଜର ଭାରପ୍ରାପ୍ତ ରେଞ୍ଜ ଅଧିକାରୀ ଦେବଦତ୍ତ ନନ୍ଦଙ୍କ ତତ୍ତ୍ୱାବଧାନରେ ହାତୀଛୁଆକୁ ଉଦ୍ଧାର କରାଯାଇଥିଲା।

Dharitri – Odisha’s No.1 Odia Daily

Share